ଓଡ଼ିଆ ସଂସ୍କୃତିର ମୂଳ ଭିତ୍ତି କହିଲେ ତା’ର ବାର ମାସରେ ପଡୁଥିବା ତେର ପର୍ବ ଓ ସାଢ଼େ ଚାରି କୋଟି ଓଡ଼ିଆଙ୍କର ପ୍ରାଣରୂପୀ ନାଆର ନାବିକ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ବୁଝାଏ | ଜଗନ୍ନାଥ ସିନା ସାରା ଜଗତକୁ ପାଳନ୍ତି, କିନ୍ତୁ ଜଗତ ଜନଙ୍କ ମୁଖରେ ମାଆ ମହାଲକ୍ଷ୍ମୀଙ୍କ କୃପାରୁ ହିଁ ଦାନା ମୁଠାଏ ପଡିଥାଏ | ତେଣୁ, ମାତା ମହାଲକ୍ଷ୍ମୀଙ୍କର ସମ୍ମାନାର୍ଥେ ଏହି ପର୍ବଟିକୁ ପାଳନ କରାଯାଇଥାଏ | ମହାଲକ୍ଷ୍ମୀ ସ୍ନାନ ସାଧାରଣତଃ ଓଡ଼ିଶାର ଏକ ପ୍ରମୁଖ ପର୍ବ | ମାତା ମହାଲକ୍ଷ୍ମୀ ଓ ଧରିତ୍ରୀ ମାତା ଉଭୟେ ଜଣେ ହୋଇଥିବାରୁ ଏହାକୁ ବସୁମତୀ ସ୍ନାନ ମଧ୍ୟ କୁହାଯାଏ | ରଜ ପର୍ବର ଶେଷ ଦିନଟିକୁ ବସୁମତୀ ସ୍ନାନ ବା ମହାଲକ୍ଷ୍ମୀ ସ୍ନାନ ଭାବରେ ପାଳନ କରାଯାଇଥାଏ | ବିଶ୍ୱାସ ରହିଛି ଯେ, ରଜ ପର୍ବ ସମୟରେ ଧରିତ୍ରୀ ମାତା ରଜସ୍ୱଳା ଥାନ୍ତି | ତେଣୁ, ଏହି ସମୟରେ ଚାଷବାସ ତଥା ସେ ସମସ୍ତ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ, ଯେଉଁଥିରେ ଧରିତ୍ରୀ ମାତାଙ୍କୁ କଷ୍ଟ ହେବ | ଯେପରି, ରଜସ୍ୱଳା ନାରୀମାନେ ଶେଷ ଦିନରେ ପରିଷ୍କାର ଭାବରେ ସ୍ନାନ କରିବା ପରେ, ସମସ୍ତ କାମ କରିବା ପାଇଁ ସେମାନଙ୍କୁ ଅନୁମତି ମିଳିଥାଏ ; ଠିକ ସେହି ଵିଧି ଧରିତ୍ରୀ ମାତାଙ୍କ ସହ ମଧ୍ୟ ହୋଇଥାଏ | ଏହି ଦିନ ସକାଳୁ ନାରୀମାନେ ପ୍ରଥମେ ଶିଳ ଓ ଶିଳପୁଆଙ୍କୁ ଧରିତ୍ରୀ ମାତାଙ୍କର ପ୍ରତୀକ ଭାବରେ ମେଥି ଓ ହଳଦୀ ଲଗାଇ ସ୍ନାନ କରାଇବା ସହ ଚନ୍ଦନ, ସିନ୍ଦୂର ଆଦି ଲଗାଇ ପୂଜା ମଧ୍ୟ କରନ୍ତି | ବିଶ୍ୱାସ ରହିଛି ଯେ, ଏହି ସ୍ନାନ ପରେ ଧରିତ୍ରୀ ମାତା ପୂର୍ବ ଭଳି ପବିତ୍ର ହୋଇଯାଆନ୍ତି ଓ ଏହି ଦିନଠାରୁ ଚଷା ଭାଇମାନେ ବନ୍ଦ ରହିଥିବା ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଥାନ୍ତି | ଯାହାକି ଆମେ ବଞ୍ଚି ରହିବା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ | ତେଣୁ, ଏହି ମହାଲକ୍ଷ୍ମୀ ସ୍ନାନକୁ କେବଳ ଏକ ହିନ୍ଦୁ ପର୍ବ ବୋଲି କୁହାଯାଏ ପାରେନା | ଏହି ପର୍ବ, ଋତୁସ୍ରାବକୁ ନେଇ ମଧ୍ୟ ଏକ ଖୁବ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥାଏ; ତଥା ଏହା ଏକ କୃଷି ଭିତ୍ତିକ ପର୍ବ ଭାବରେ ମଧ୍ୟ ବେଶ ପରିଚିତ | ଏଥିସହ ଏହି ପର୍ବ ଓଡ଼ିଆମାନଙ୍କର ପ୍ରକୃତି ସହ ରହିଥିବା ନିବିଡ଼ ସମ୍ପର୍କକୁ ମଧ୍ୟ ଦର୍ଶାଇଥାଏ | ତେବେ, ପରିବର୍ତ୍ତିତ ସମାଜର ପରିବର୍ତ୍ତନ ସ୍ରୋତରେ ଉଭୟ ରଜ ଓ ମହାଲକ୍ଷ୍ମୀ ସ୍ନାନ ପାଳନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି | ଏହି ପରିବର୍ତ୍ତନର ସ୍ରୋତ କିପରି ଭାବରେ ଆମ ସଂସ୍କୃତି ଓ ପରମ୍ପରା ପାଇଁ ମଙ୍ଗଳକାରୀ ହେବ, ତାହା ଆମ ମାନଙ୍କ ଉପରେ ନିର୍ଭରଶୀଳ | ତେଣୁ, ଆଧୁନିକତାରେ ଭିଡ଼ ଭିତରେ ଆମର ଏହି ମହାଲକ୍ଷ୍ମୀ ସ୍ନାନ ଭଳି ପର୍ବ ସମୂହ ଯେପରି ହଜି ନ ଯାଉ | ନଚେତ, ଭବିଷ୍ୟତ ପିଢ଼ି ସମ୍ମୁଖରେ ଆମେ ନିଜ ସଂସ୍କୃତିକୁ ବଞ୍ଚାଇବାରେ ବିଫଳ ହୋଇଥିବା ପିଢ଼ିର ଆଖ୍ୟା ପାଇବା | ©️ ସ୍ଥିତିପ୍ରଜ୍ଞା ସ୍ବାଇଁ Post navigation BSKY ଯୋଜନାକୁ ନେଇ ଆସିଲା ବଡ଼ ଖବର କଟକ ସଦରର ନବନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ରମଣ