ଆଳୁ-ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ। ଦର ବୃଦ୍ଧି ପାଇଁ ପଡ଼ୋଶୀ ରାଜ୍ୟମାନଙ୍କୁ ଦାୟୀ କରାଯାଉଛି। ତେବେ ଚିନ୍ତାର ବିଷୟ ହେଉଛି ସରକାରଙ୍କ କହିବା କଥା ଏବଂ ବାସ୍ତବ ବଜାର ଦର ଭିତରେ ରହୁଛି ଅନେକ ଫରକ । ଆଳୁ ପିଆଜର ଏହି ଅଳବ ଗଣିତକୁ ଲୋକେ ବୁଝି ପାରୁନାହାନ୍ତି । ମାତ୍ର ପକେଟରୁ ଭାରି ବାଧୁଛି ।

ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧ ନ ସିଂହଦେଓ କହିଥିଲେ ଯେ ରାଜ୍ୟରେ ଯେତିକି ପିଆଜ ବ୍ୟବହାର ହୁଏ ତା’ଠୁ ଅଧିକ ହୁଏ ଉତ୍ପାଦନ । ଯଦି ଏହା ସତ ତେବେ ଦର କାହିଁକି ସବୁବେଳେ ୬୦ ଉପରେ ? ସେହିପରି ମମତା ଦିଦି ଆଳୁ ଟ୍ରକ୍ ରୋକିବା ପରେ ଦର ବଢ଼ିଥିଲା ରାଜ୍ୟରେ । ତୁରନ୍ତ ସରକାର ଘୋଷଣା କଲେ ଯେ ଆମେ ଆଉ ଦିଦିଙ୍କ ଆଳୁ ଉପରେ ନୁହେଁ ଯୋଗୀ ଆଳୁ ଉପରେ ଭରସା କରିବୁ । ୩୦୦ ଟ୍ରକ୍ ଆସିଲାଣି ବୋଲି କୁହାଗଲା । ହେଲେ ବୁଧବାର ଭୁବନେଶ୍ୱରରେ ଆଳୁ ବିକ୍ରି ହେଉଥିଲା ୫୦ ଟଙ୍କାରେ ।

ଓଡ଼ିଶାରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକ‌ତା ପୂରଣ ପାଇଁ ଦରକାର ପଡ଼ୁଥିବା ପିଆଜ ଉତ୍ପାଦନ ଯଥେଷ୍ଟ ଅଧିକ ରହିଛି। ବ୍ୟବହାର ତୁଳନାରେ ଅଧିକ ଉତ୍ପାଦନ ହେଉଥିଲେ ମଧ୍ୟ ରାଜ୍ୟରେ ପିଆଳ ମୂଲ୍ୟବୃଦ୍ଧି ହେଉଥିବା ଅଭିଯୋଗକୁ କୃଷିମନ୍ତ୍ରୀ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂହଦେଓ ସୀକାର କରିଛନ୍ତି ।

ସେହିପରି ଓଡ଼ିଶା ଖାଉଟିଙ୍କ ପାଇଁ ଆବଶ୍ୟକ ଥିବା ଆଳୁ ଚାହିଦା ମେଣ୍ଟାଇବା ନିମନ୍ତେ ରାଜ୍ୟ ସରକାର ପଡୋଶୀ ରାଜ୍ୟ ଉପରେ ନିର୍ଭର କରି ଆସୁଛନ୍ତି। ରାଜ୍ୟରେ ବର୍ଷକୁ ୧୪ ଲକ୍ଷ ମେଟ୍ରିକ ଟନ ଆଳୁର ଆବଶ୍ୟକତା ଥିବା ବେଳେ ଓଡ଼ିଶାରେ ପାଖାପାଖ୍ ୨ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି । ନିୟଣ୍ଟିଆ ଆଳୁ ପରିମାଣ ମେଣ୍ଟାଇବା ପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଆଳୁ ଆମଦାନୀ କରିଥାନ୍ତି । ପଶ୍ଚିମବଙ୍ଗର ଆଳୁର ଚାହିଦା ଓଡ଼ିଶାରେ ଅଧିକ ରହୁଥ‌ିବାରୁ ଅନ୍ୟ ରାଜ୍ୟର ଆଳୁଗୁଡ଼ିକ ଉପରୁ ଗ୍ରାହକ ମୁହଁ ଫେରାଇ ନେଉଥିବା ଦେଖୁବାକୁ ମିଳିଥାଏ ।

ନିକଟରେ ୪ ମାସ ମଧ୍ୟରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ୨ ଥର ଆଳୁ ଯୋଗାଣ ବନ୍ଦ କରିବା ପରେ ରାଜ୍ୟରେ ଆଳୁ ଦରରେ ନିଆଁ ଲାଗିଛି । ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ଆଳୁ କେଜି ପିଛା ଏବେ ୫୦ ଟଙ୍କା ଉପରୁ ଟପି ଯାଇଛି । ଆଳୁ ଅଭାବକୁ ନେଇ ରାଜ୍ୟ ରାଜ ନୀତି ସରଗରମ ହୋଇଥିବା ବେଳେ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହୋଇଛି। ରାଜ୍ୟରେ ଆଳୁ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କହୁଥିବା ବେଳେ ଖୋଲା ବଜାରରେ ବୁଧବାର ଦିନ ଆଳୁ ୫୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି ।

Leave a Reply

Your email address will not be published. Required fields are marked *