ଆଜି ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଉତ୍ତର ଓଡିଶା ଉପକୂଳ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟସାରା ବର୍ଷାପ୍ରପୀଡ଼ିତ ପରିସ୍ଥିତି ଜାରି ରହିଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବିଜୁଳି ମାରିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ପାଇଁ ‘ନାଓକାଷ୍ଟ’ (Nowcast) ସତର୍କତା ଜାରି କରି ୧୩ଟି ଜିଲ୍ଲା କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, କୋରାପୁଟ,ନୟାଗଡ଼, ଯାଜପୁର, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ାର କେତେକ ଅଞ୍ଚଳରେ ଘଡ଼ଘଡ଼ି ଏବଂ ବିଜୁଳି ସହ ବର୍ଷା ହେବାର ପୂର୍ବାନୁମାନ କରିଛି।

ଘଡ଼ଘଡ଼ି ଏବଂ ବିଜୁଳି ସମୟରେ ଏହିସବୁ ଅଞ୍ଚଳର ଲୋକଙ୍କୁ ଘର ଭିତରେ ରହିବାକୁ, ଖୋଲା ପଡ଼ିଆ ଓ ଜଳାଶୟଗୁଡ଼ିକରୁ ଦୂରେଇ ରହିବାକୁ ଏବଂ ସରକାରୀ ପାଣିପାଗ ପରାମର୍ଶ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଶୁକ୍ରବାରଠାରୁ ବର୍ଷାର ପରିମାଣ କମିବା ଆଶା କରାଯାଉଛି।

 

Leave a Reply

Your email address will not be published. Required fields are marked *