ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ବନ୍ୟା ପରିସ୍ଥିତି ଏବଂ ଏହାର ପରିଚାଳନାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି। କ୍ରମାଗତ ୩ ଦିନ ଧରି ହୋଇଥିବା ପ୍ରବଳ ବର୍ଷା ଯାହାକି ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ଭାଙ୍ଗିଛି, ସେ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ରଖିଛନ୍ତି।

ସେ କହିଛନ୍ତି ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମି.ମି. ବର୍ଷା ହୋଇଥିବା ବେଳେ ତାର ପୂର୍ବ ଦିନ ୮୯ ମି.ମି. ଏବଂ ପରଦିନ ୧୭୩ ମି.ମି. ବର୍ଷା ହୋଇଥିଲା। ଏହି ବର୍ଷାର ପରିମାଣ ୧୯୯୦ ଓ ୨୦୧୩ ବର୍ଷର ପ୍ରବଳ ବର୍ଷା ତଥା ୨୦୧୩ର ଫାଇଲିନ୍ ବାତ୍ୟା ସମୟର ବର୍ଷାଠାରୁ ମଧ୍ୟ ବହୁ ଅଧିକ ଥିଲା। ଫାଇଲିନ୍ ସମୟରେ ଗୋଟିଏ ଦିନ ବର୍ଷା ହୋଇଥିବା ବେଳେ ଏଥର କ୍ରମାଗତ ୩ ଦିନ ଧରି ପ୍ରବଳ ବର୍ଷା ହୋଇଥିଲା।

ଋଷିକୁଲ୍ୟା ଓ ବାହୁଦାର କ୍ୟାଚମେଣ୍ଟ ଏରିଆର ୯୦ ପ୍ରତିଶତ ପାଣି ଡ୍ୟାମକୁ ଯାଇଥିବା ବେଳେ ଅବଶିଷ୍ଟ ପାଣି ସିଧାସଳଖ ନଦୀକୁ ଯାଇଛି ଯେଉଁଥିରେ ଆଉ ନିୟନ୍ତ୍ରଣ ନଥିଲା। ଅଧିକ ଗେଟ୍ ଖୋଲି ଦିଆଯାଇଥିବା ଅଭିଯୋଗର ଜବାବ ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଡ୍ୟାମ୍ ନିରାପତ୍ତା ହେଉଛି ସର୍ବୋଚ୍ଚ ପ୍ରାଥମିକତା, ଏଥିରେ କୌଣସି ପ୍ରକାରର ରିସ୍କ ନିଆଯାଇପାରିବ ନାହିଁ। ଯେପରି ଅନୁପାତରେ ପାଣି ଆସିଥିଲା, ସେହି ଅନୁସାରେ ଗେଟ୍ ଖୋଲାଯାଇଥିଲା। ଫାଇଲିନ୍ ସମୟରେ ଯେପରି ପାଣି କମାଯାଇଥିଲା, ଏଥର ମଧ୍ୟ ସେହିପରି ପଦକ୍ଷେପ ନିଆଯାଇଥିଲା ଏବଂ ଯନ୍ତ୍ରୀମାନେ ଅନୁଧ୍ୟାନ କରି ଡ୍ୟାମ୍ ପାଣି ଖସାଇଥିଲେ।

ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଆରୋପ ନେଇ ମତ ରଖି ସେ କହିଛନ୍ତି ଯେ ସେ ଏନେଇ ଶୁଣିଛନ୍ତି, ସେକ୍ସୁଆଲ୍ ଟିମ୍ ରିପୋର୍ଟ ଦେଇସାରିଛନ୍ତି ଏବଂ ଅଭୂତପୂର୍ବ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଟିମ୍ ସ୍ପଷ୍ଟ କରିଛି।

ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସଚିବ ଜଣାଇଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଏବଂ ପିଇବା ପାଣି ଆଦି ସମସ୍ୟାଗୁଡ଼ିକୁ ପ୍ରାୟତଃ ଦୂର କରାଯାଇସାରିଛି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସରକାରଙ୍କ ବନ୍ୟା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ ନବୀନ, ଯାହାକୁ ନେଇ ରାଜ୍ୟରେ ରାଜନୈତିକ ତଥା ପ୍ରଶାସନିକ ସ୍ତରରେ ତତ୍ପରତା ଦେଖିବାକୁ ମିଳିଛି।

 

Leave a Reply

Your email address will not be published. Required fields are marked *