ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେବା ଜରୁରୀ। ପ୍ରତିବର୍ଷ ସର୍ପ ଦଂଶନ, ବଜ୍ରପାତ, ମଣିଷ-ପଶୁ ଲଢ଼େଇ ଓ ଅନ୍ୟାନ୍ୟ ଦୈବୀ ଦୁର୍ବିପାକରେ ଅନେକ ଲୋକଙ୍କ ପ୍ରାଣହାନୀ ହେଉଛି। ପୂର୍ବରୁ ସରକାରରେ ଥିବା ବେଳେ ନବୀନ ବାବୁ ଉତ୍ତମ ବିପର୍ଯ୍ୟୟ ପରିଚାଳନା ପାଇଁ ଦେଶ ବିଦେଶରେ ପ୍ରଶଂସିତ ହୋଇଛନ୍ତି। ଏବେ ବିଜେପି ନୂଆ କରି ସରକାର ଗଠନ କରିଥିବା ବେଳେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଧ୍ୟାନ ଦେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟରେ ଯେପରି ମୃତ୍ୟୁହାର କମିବ ସେ ନେଇ କାର୍ଯ୍ୟ କରିବା ମଧ୍ୟ ଉଚିତ। ବଜ୍ରପାତ ରୋକିବା ପାଇଁ ବ୍ୟାପକ ତାଳ ଗଛ ଲଗାଇବା ଉଚିତ।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧-୨୦୨୨ରେ ଓଡ଼ିଶାରେ ସାପ କାମୁଡ଼ାରେ ଅତି କମରେ ୮୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ମାନବାଧିକାର ଆଇନଜୀବୀ ଜାତୀୟ ମାନବ ଅଧିକାର ଆୟୋଗ (NHRC)କୁ ମଧ୍ୟ ରିପୋର୍ଟ କରିଛନ୍ତି ଯେ ୨୦୧୫ରୁ ସାପ କାମୁଡ଼ାରେ ୭,୬୦୯ ଲୋକଙ୍କ ମୃତ୍ୟୁ ହେଲାଣି। କେହି କେହି କୁହନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବାର୍ଷିକ ୧୦୦୦ରୁ ଅଧିକ ସାପ କାମୁଡ଼ାଜନିତ ମୃତ୍ୟୁ ଘଟିଛି। ଓଡ଼ିଶାରେ ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟର ମୋଟ ବିପର୍ଯ୍ୟୟର ପ୍ରାୟ ୪୦%।

୨୦୨୩-୨୪ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ହାତୀ-ମଣିଷ ଲଢ଼େଇ ୧୪୯ ଜୀବନ। ଏଥିରେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ୩ ବର୍ଷରେ ହାତୀ-ମଣିଷ ଲଢ଼େଇରେ ସାରା ଦେଶରେ ୧୫୭୯ ଜଣଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ଓଡ଼ିଶାର କେବଳ ୩୨୨ଜଣଙ୍କ ମୃତ୍ୟୁ ହୋଇଛି। ଏବର୍ଷ ହାତୀ-ମଣିଷ ଲଢ଼େଇରେ ଢେଙ୍କନାଳ ଜିଲ୍ଲାରେ ୩୧ ଜଣଙ୍କ ଜୀବନ ଯାଇଛି।

ଖାଇବା ଅନ୍ୱେଷଣରେ ହାତୀ ସହର ଓ ଗାଁମୁହାଁ ହୋଇଥାଏ। ତେଣୁ ମଣିଷ-ହାତୀ ଲଢ଼େଇ ଏଡାଇବା ପାଇଁ ଜଙ୍ଗଲରେ ହିଁ ହାତୀମାନଙ୍କୁ ଖାଇବା ଓ ପାଣି ଯୋଗାଇବା ଉପରେ ଉଦ୍ୟମ କରାଯିବା ଉଚିତ। ବାଡ଼ ଦେବା, ହାତୀ ପ୍ରବଣ ଅଞ୍ଚଳ ଚିହ୍ନଟ କରିବା, ଲୋକଙ୍କୁ ସତର୍କ କରାଇବା ଦ୍ୱାରା ଏହି ଲଢ଼େଇ ରୋକାଯାଇପାରିବ।ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟପକ ପଦକ୍ଷେପ ନିଆଯିବା ଉଚିତ। ହାତୀଙ୍କୁ ଭୟଭୀତ ନକରାଇ ସେମାନଙ୍କୁ ଘଉଡାଇବା ଆବଶ୍ୟକ।

ରାଜ୍ୟରେ ବଜ୍ରପାତରେ ମଧ୍ୟ ଅନେକ ଜୀବନ ଯାଉଛି। ଗତ ୭ ବର୍ଷରେ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଅପେକ୍ଷା ବଜ୍ରପାତରେ ୨,୫୫୭ ଜଣଙ୍କ ମୃତ୍ୟୁ ହୋଇଛି। ଅବାଧ ଗଛକଟା ବଜ୍ରପାତଜନିତ ମୃତ୍ୟୁର କାରଣ।

ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି। ଜନତାଙ୍କ ସେବକ କହୁଥିବା ସରକାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବେ ବୋଲି ଆଶା ଅଛି। ବୃକ୍ଷରୋପଣ କରାଯିବା ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ଯେ, ଏ ବର୍ଷ ରାଜ୍ୟରେ ୫ କୋଟି ଗଛ ଲଗାଯିବ। ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଦିଆଯିବ। ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ୧୯ ଲକ୍ଷ ତାଳ ଗଛ ଲାଗିବ। ସ୍ୱତନ୍ତ୍ର ରିଲିଫ କମିଶନଙ୍କ ରିପୋର୍ଟ ଅନୁଯାୟୀ ବିଭାଗ ୨୦୨୪-୨୫ରେ ସାରା ରାଜ୍ୟରେ ପ୍ରାୟ 1.9 ନିୟୁତ ତାଳ ଗଛ ଲଗାଇବ। ପ୍ରତ୍ୟେକ ଜଙ୍ଗଲ ପାଚେରୀରେ ଚାରୋଟି ତାଳ ଗଛ ଲଗାଯିବ। ଏଥିପାଇଁ ପ୍ରାୟ 7 କୋଟି ଟଙ୍କା ଖର୍ଚ୍ଚ ହେବସରକାର ଆଗକୁ ଆଉ କଣ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *