ଓଡ଼ିଶାର ଅସ୍ମିତା ଏବଂ ସାର୍ବଭୌମତ୍ୱର ପ୍ରତୀକ କୋଟିଆକୁ ନେଇ ଦୀର୍ଘ ଦିନରୁ ଚାଲିଆସୁଥିବା ସୀମା ବିବାଦ ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ଏହାର ଏକ ମିଳିତ ସମାଧାନ ବାହାର କରିବା ଅତ୍ୟନ୍ତ ଜରୁରୀ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ସେ ନିଜେ ଏପ୍ରିଲ ୨୦୧୮, ଫେବୃଆରୀ ୨୦୧୯ ଏବଂ ଏପ୍ରିଲ ୨୦୨୩ରେ କୋଟିଆ ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲି। ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ତଥା ସୀମା ବିବାଦର ସମାଧାନ ପାଇଁ ସେ ପୂର୍ବରୁ, ଅର୍ଥାତ୍ ନଭେମ୍ବର ୧୮, ୨୦୨୦ ଓ ଅକ୍ଟୋବର ୩୧, ୨୦୨୨ରେ ଓଡ଼ିଶାର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ସେପ୍ଟେମ୍ବର ୨୨, ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲି।

କୋଟିଆ ସମସ୍ୟାର ସମାଧାନ କ୍ଷେତ୍ରରେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି ଯେ, ପରସ୍ପର ମଧ୍ୟରେ ଆଲୋଚନା ଓ କଥାବାର୍ତ୍ତା ଜରିଆରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରି ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭଳି ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନ କେବେହେଲେ ବ୍ୟର୍ଥ ଯିବ ନାହିଁ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ ଜାରି ରହିବା ସହ ଓଡ଼ିଶାର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *