ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଅଧିକ ସୁଗମ ଏବଂ ଶୃଙ୍ଖଳିତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ଥିତି ସମୀକ୍ଷା କରିଛନ୍ତି।

ସ୍ଥାନ ପରିଦର୍ଶନ ସମୟରେ ମନ୍ତ୍ରୀ ହରିଚନ୍ଦନ ମନ୍ଦିର ପରିସର ଭିତର ଏବଂ ବାହାରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଗଠନମୂଳକ ବ୍ୟବସ୍ଥାଗୁଡ଼ିକୁ ସମୀକ୍ଷା କରିଛନ୍ତି। ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଦ୍ୱାରା ଚାଲିଥିବା ଏହି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ ପ୍ରତ୍ୟେକ ଭକ୍ତଙ୍କ ଦର୍ଶନ ଅନୁଭୂତିକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରିବା ହିଁ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଶ୍ରଦ୍ଧାଳୁମାନେ ବିନା କୌଣସି ଅସୁବିଧାରେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନଲାଭ କରିପାରିବେ ବୋଲି ଆଶା କରାଯାଉଛି।

ପବିତ୍ର ଧାମକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ବିନା କୌଣସି ଅସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଏକ ଆଧୁନିକ ଓ ସୁସଜ୍ଜିତ ଧାଡ଼ି ପରିଚାଳନା ପ୍ରଣାଳୀ ବିକଶିତ କରାଯାଉଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ପ୍ରବେଶ ଓ ପ୍ରସ୍ଥାନ ପଥକୁ ଶୃଙ୍ଖଳିତ କରାଯାଇ ଅନାବଶ୍ୟକ ଜନଗହଳି ଓ ଦୀର୍ଘ ଅପେକ୍ଷା ସମୟକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ବିଶେଷ କରି ପର୍ବପର୍ବାଣୀ ଓ ଦୈନନ୍ଦିନ ନୀତିକାନ୍ତି ସମୟରେ ଏହା ଭିଡ଼ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବ୍ୟାରିକେଡଗୁଡ଼ିକୁ ସମ୍ପୂର୍ଣ୍ଣ ଛାତ-ଆଚ୍ଛାଦିତ କରାଯାଉଛି, ଯାହା ଶ୍ରଦ୍ଧାଳୁଙ୍କୁ ଖରା, ବର୍ଷା ଓ ଅନ୍ୟାନ୍ୟ ପ୍ରତିକୂଳ ପାଣିପାଗରୁ ରକ୍ଷା କରିବ। ଏହା ସହିତ ବୟସ୍କ ନାଗରିକ ଏବଂ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପଥର ବ୍ୟବସ୍ଥା କରାଯାଉଛି, ଯାହା ଦ୍ୱାରା ସେମାନେ ସହଜରେ ଚଲାବୁଲା କରିପାରିବେ।

Leave a Reply

Your email address will not be published. Required fields are marked *