ରାଜଧାନୀ ଉପକଣ୍ଠ ନରାଜଠାରେ ଆଦାନୀ ସହ ମିଳିତ ଭାବେ ଅତି ଉଚ୍ଚ କ୍ଷମତାସମ୍ପନ୍ନ ‘ଏଆଇ ଡାଟା ସେଣ୍ଟର’ ପ୍ରକଳ୍ପକୁ ନେଇ ରାଜ୍ୟରେ ରାଜନୈତିକରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପ୍ରକଳ୍ପ ଓଡ଼ିଶା ପାଇଁ ବିକାଶର ବାର୍ତ୍ତା ଆଣିବା ପରିବର୍ତ୍ତେ ଏକ ଚରମ ବିପଦର କାରଣ ହେବ ବୋଲି କଂଗ୍ରେସ ଦଳ ପକ୍ଷରୁ ଗମ୍ଭୀର ଅଭିଯୋଗ କରାଯାଇଛି। ସୋମବାର ଦିନ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କୁ ଏହି ପ୍ରକଳ୍ପ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଛାୟାରେ ତଥ୍ୟ ଉପସ୍ଥାପନ କରି ଶ୍ରୀକାନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆବୁଧାବି ଗସ୍ତ ପରେ ଗତ ୨୩ ସେପ୍ଟେମ୍ବରରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (HLCA) ବୈଠକରେ ଓଡ଼ିଶା ସରକାର ୨.୪୭ ଲକ୍ଷ କୋଟିର ୨୭ଟି ପ୍ରକଳ୍ପ ମଧ୍ୟରୁ ଏହି ଏଆଇ ଡାଟା ସେଣ୍ଟର ପ୍ରକଳ୍ପରେ ୧.୦୪ ଲକ୍ଷ କୋଟିର ପୁଞ୍ଜିନିବେଶ, ୧ ଗିଗାୱାଟ୍ (୧୦୦୦ ମେଗାୱାଟ୍) କ୍ଷମତା ଏବଂ ପ୍ରାୟ ୨୫୦ ଏକର ଜମିର ଆବଶ୍ୟକତା ଥିବା ଜଣାପଡ଼ିଛି। ତେବେ, ଏହି ପ୍ରକଳ୍ପ ସମ୍ପର୍କିତ ବୁଝାମଣାପତ୍ର (MoU), ବିଭିନ୍ନ ଚୁକ୍ତିନାମା ଏବଂ HLCA ବୈଠକର ବିସ୍ତୃତ ବିବରଣୀ ବିଶେଷକରି ବିଦ୍ୟୁତ୍ ଯୋଗାଣ, ଜଳ ବ୍ୟବହାର, ପରିବେଶୀୟ ପ୍ରଭାବ ଆକଳନ ଓ ଟିକସ ରିହାତି ସମ୍ପର୍କିତ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ଭାରତର ଥାନେ ଏବଂ ବିଶାଖାପାଟଣା ସମେତ ବିଭିନ୍ନ ସ୍ଥାନରେ ଡାଟା ସେଣ୍ଟର ବିରୋଧରେ ଜନଅସନ୍ତୋଷ ଓ ପ୍ରତିବାଦ ଦେଖାଦେଉଛି । ଏହି ସମୟରେ ପ୍ରସ୍ତାବିତ ନରାଜ ଡାଟା ସେଣ୍ଟର ପ୍ରକଳ୍ପର ବିପୁଳ ବିଦ୍ୟୁତ୍ ଓ ଜଳ ଆବଶ୍ୟକତା ସହିତ ଶବ୍ଦ ଓ ତାପ ପ୍ରଦୂଷଣ ଏହି ଅଞ୍ଚଳର ପରିବେଶ, ଭୁବନେଶ୍ୱର ଓ କଟକର ପାନୀୟ ଜଳ ସୁରକ୍ଷା ଏବଂ ମହାନଦୀ ଜଳ ପ୍ରଣାଳୀର ଜଳ ଉପଲବ୍ଧତା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ । ଏତେ ବିପୁଳ ପ୍ରାକୃତିକ ସମ୍ପଦର ବ୍ୟବହାର ଓ ସମ୍ଭାବ୍ୟ ପରିବେଶୀୟ କ୍ଷୟକ୍ଷତି ବଦଳରେ ଓଡ଼ିଶାର ଲୋକମାନେ କ’ଣ ପାଇବେ? ଜନସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କଠାରୁ ପ୍ରକଳ୍ପକୁ ନେଇ କଂଗ୍ରେସର ୪ଟି ପ୍ରମୁଖ ଚିନ୍ତା ଓ ପ୍ରଶ୍ନଗୁଡ଼ିକ ହେଲା:- ୧: ବିଦ୍ୟୁତ: ପ୍ରସ୍ତାବିତ ନରାଜ ଡାଟା ସେଣ୍ଟର ପାଇଁ ୧ ଗିଗାୱାଟ୍ (୧୦୦୦ ମେଗାୱାଟ୍) ବିଦ୍ୟୁତ୍ ଆବଶ୍ୟକତା ଏହି ପ୍ରକଳ୍ପ ପାଇଁ କେଉଁଠୁ ବିଦ୍ୟୁତ୍ ଯୋଗାଣ କରାଯିବ? ଏହାର ଆବଶ୍ୟକତା ଓଡ଼ିଶାର ୪.୫ କୋଟି ଲୋକଙ୍କ ଘରୋଇ ବିଦ୍ୟୁତ୍ ବ୍ୟବହାର ସହ ସମାନ । ୧ ଗିଗାୱାଟ୍ (୧୦୦୦ ମେଗାୱାଟ୍) କ୍ଷମତାର ଏକ ଡାଟା ସେଣ୍ଟର ପୂର୍ଣ୍ଣ କ୍ଷମତାରେ ଚାଲିଲେ ପ୍ରତିଦିନ ୨.୪ କୋଟି ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରିପାରେ, ଯାହା ଓଡ଼ିଶାର ୪.୫ କୋଟି ଲୋକଙ୍କ ଘରୋଇ ବିଦ୍ୟୁତ୍ ବ୍ୟବହାର ସହ ସମାନ । ଯଦି ଏହି ବିଦ୍ୟୁତ୍ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଯୋଗାଣ କରାଯାଏ, ତେବେ ଓଡ଼ିଶାର ପରିବେଶ ଉପରେ ଏହାର ପ୍ରଭାବ କ’ଣ ହେବ? ଅନ୍ୟ ରାଜ୍ୟଗୁଡ଼ିକରେ ଘରୋଇ ଉପଭୋକ୍ତା ଓ କୃଷକମାନେ ମାଗଣା ବିଦ୍ୟୁତ୍ ପାଉଥିବା ବେଳେ ଓଡ଼ିଶାର ଘରୋଇ ଉପଭୋକ୍ତା ଓ କୃଷକମାନେ ଏହି ସୁବିଧାରୁ ବଞ୍ଚିତ କାହିଁକି? ବିଶାଖାପାଟଣାରେ ପ୍ରସ୍ତାବିତ ଡାଟା ସେଣ୍ଟରକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପକୁ ମାଗଣା ଜମି, ମାଗଣା ଜଳ, ୟୁନିଟ୍ ପିଛା ୧ ଟଙ୍କା ଦରରେ ବିଦ୍ୟୁତ୍ ଏବଂ ୨୦ ବର୍ଷର ଟିକସ ଛାଡ଼ ଭଳି ସୁବିଧା ଦିଆଯିବ କି? ସେଠାରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖାଦେଇଥିବା ବେଳେ, ଓଡ଼ିଶା ସରକାର ନରାଜ ପ୍ରକଳ୍ପ ପାଇଁ ମଧ୍ୟ ଏଭଳି ସୁବିଧା ପ୍ରଦାନ କରିଛନ୍ତି କି? ୨. ଜଳ: ପ୍ରତିଦିନ ୩୦ ନିୟୁତ ଲିଟର (୩୦ MLD) ଜଳ କେଉଁଠାରୁ ଆସିବ? ଭୁବନେଶ୍ୱରରେ ଏବେ ମଧ୍ୟ ପ୍ରତିଦିନ ୧୦୦ ନିୟୁତ ଲିଟରରୁ ଅଧିକ ଜଳ ଯୋଗାଣର ଅଭାବ ରହିଛି। ଅନ୍ୟପଟେ, ଅତ୍ୟଧିକ ବୋରୱେଲ୍ ବ୍ୟବହାର ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଛି । ମହାନଦୀ ଜଳ ପ୍ରଣାଳୀ ଓ ଏହାର ସଂଲଗ୍ନ କେନାଲଗୁଡ଼ିକ ମଧ୍ୟ ଚାପରେ ରହିଛି। ଅବିଭକ୍ତ କଟକ ଜିଲ୍ଲା ଓ ପୁରୀରେ କେନାଲ ଜଳର ଅଭାବ ଏହି ଚିନ୍ତାକୁ ଆହୁରି ବଢ଼ାଉଛି । ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ବେଳେ, ଏହି ପ୍ରକଳ୍ପର ଦୈନିକ ୩୦ ନିୟୁତ ଲିଟରରୁ ଅଧିକ ଜଳ ଆବଶ୍ୟକତା କିପରି ପୂରଣ କରାଯିବ? ଏହା ଦ୍ୱାରା ସାଧାରଣ ଲୋକଙ୍କ ପାନୀୟ ଜଳ ଯୋଗାଣ ଓ କୃଷକମାନଙ୍କ ଚାଷ ପାଇଁ ଜଳ ଉପଲବ୍ଧତା ଯେପରି ପ୍ରଭାବିତ ନହୁଏ, ତାହା ସରକାର କିପରି ସୁନିଶ୍ଚିତ କରିବେ? ୩. ନିଯୁକ୍ତି: ୧.୦୪ ଲକ୍ଷ କୋଟିର ପୁଞ୍ଜିନିବେଶରୁ ଓଡ଼ିଶାର ଲୋକେ କେତେ ନିଯୁକ୍ତି ପାଇବେ? ଏତେ ବିପୁଳ ପୁଞ୍ଜିନିବେଶ ସତ୍ତ୍ୱେ ଏହି ପ୍ରକଳ୍ପରୁ ମାତ୍ର ପ୍ରାୟ ୧,୦୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ବାସ୍ତବରେ, AI ଡାଟା ସେଣ୍ଟରଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ସଂଖ୍ୟା ଅତ୍ୟନ୍ତ ସୀମିତ । ଏଥିରେ ଅତି ବେଶୀରେ ୫୦ ଜଣ ଇଞ୍ଜିନିୟର ଏବଂ ୨୦୦ରୁ ୩୦୦ ଜଣ ରକ୍ଷଣାବେକ୍ଷଣ ଓ ସୁରକ୍ଷା କର୍ମଚାରୀଙ୍କ ଆବଶ୍ୟକତା ରହିପାରେ । ଓଡ଼ିଶା ଗୁରୁତର ବେକାରି ସମସ୍ୟା ଓ ଜୀବିକା ପାଇଁ ଅନ୍ୟ ରାଜ୍ୟକୁ ଶ୍ରମିକଙ୍କ ପ୍ରବାସ ଭଳି ସମସ୍ୟାର ସମ୍ମୁଖୀନ ହେଉଛି । ଅନ୍ୟପଟେ, ତାମିଲନାଡୁର ତିରୁପ୍ପୁର ସହରକୁ ଆଦର୍ଶ ଭାବେ ନେଇ ଓଡ଼ିଶାରେ ଏକ ବୃହତ୍ ପୋଷାକ ଉତ୍ପାଦନ ହବ୍ ପ୍ରତିଷ୍ଠା କରାଗଲେ, ମାତ୍ର କେତେଶହ କୋଟି ଟଙ୍କାର ପୁଞ୍ଜିନିବେଶରେ ୧୦ ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ଓ ବାର୍ଷିକ ₹୫୦,୦୦୦ କୋଟିର କାରବାର ସମ୍ଭବ ହୋଇପାରେ। ତିରୁପ୍ପୁର ସହରର ଆକାର ଭୁବନେଶ୍ୱରଠାରୁ ମଧ୍ୟ ଛୋଟ । ତେବେ, ଅଧିକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଥିବା ଶ୍ରମଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ସରକାର AI ଡାଟା ସେଣ୍ଟର ପ୍ରକଳ୍ପକୁ କାହିଁକି ଏତେ ପ୍ରାଧାନ୍ୟ ଦେଉଛନ୍ତି? ୪. ପରିବେଶୀୟ ପ୍ରଭାବ: ସ୍ୱାଧୀନ ପରିବେଶୀୟ ଭାବେ ଆକଳନ କରାଯାଇଛି କି? ଏହି ପ୍ରକଳ୍ପର ସ୍ୱାଧୀନ ପରିବେଶୀୟ ପ୍ରଭାବ ଆକଳନ (Environmental Impact Assessment) କରାଯାଇଛି କି? ଯଦି କରାଯାଇଛି, ତେବେ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ସାର୍ବଜନୀନ କରାଯିବ କି? AI ଡାଟା ସେଣ୍ଟରଗୁଡ଼ିକ ବିପୁଳ ପରିମାଣର ଶବ୍ଦ ଓ ତାପ ପ୍ରଦୂଷଣ ସୃଷ୍ଟି କରିବା ସହିତ ବାୟୁ ପ୍ରଦୂଷଣ ଓ ଅତ୍ୟଧିକ ଜଳ ବ୍ୟବହାରର କାରଣ ହୋଇପାରନ୍ତି। ଏହି ପ୍ରଭାବ ଭୁବନେଶ୍ୱର ଓ କଟକର ଆଖପାଖ ଅଞ୍ଚଳର ତାପମାତ୍ରାକୁ ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ନିଶ୍ଚିତ ବୃଦ୍ଧି ପାଇବ ଏବଂ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ସୃଷ୍ଟି କରିପାରେ ବୋଲି ଚିନ୍ତା ପ୍ରକାଶ ପାଇଛି। ଏହା ସ୍ଥାନୀୟ ଜନସାଧାରଣ ଓ ଜୈବ ବିବିଧତା ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ପିସିସି ସଭାପତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ କହିଛନ୍ତି, ସରକାର ଏହି ପ୍ରକଳ୍ପ ପାଇଁ ଏକ ବିକଳ୍ପ ସ୍ଥାନ ଚୟନ କରିବାର ସମ୍ଭାବନା ଅନୁଧ୍ୟାନ କରନ୍ତୁ, ଯେଉଁଠାରେ ଶୀତଳୀକରଣ ପାଇଁ ସମୁଦ୍ର ଜଳ ବ୍ୟବହାର କରିବାର ସୁଯୋଗ ଥିବ କିମ୍ବା ଜଳକୁ ରିସାଇ୍ଲିଂର ସୁଯୋଗ ଥିବ କିମ୍ବା ଏବଂ ପବନ ଓ ସୌର ଶକ୍ତି ଭଳି ବିକଳ୍ପ ଶକ୍ତି ଉତ୍ସ ମାଧ୍ୟମରେ ପ୍ରକଳ୍ପର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରାଯାଇପାରିବ। ଓଡ଼ିଶାରେ ପୁଞ୍ଜିନିବେଶର ପ୍ରାଥମିକତା ହେବା ଉଚିତ୍ ଅଧିକ ନିଯୁକ୍ତି ସୃଷ୍ଟି, ପ୍ରାକୃତିକ ସମ୍ପଦର ସ୍ଥାୟୀ ବ୍ୟବହାର ଓ ପରିବେଶର ସୁରକ୍ଷା। କେବଳ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଲାଭବାନ କରୁଥିବା ପୁଞ୍ଜିନିବେଶକୁ ବିକାଶର ଏକମାତ୍ର ମାପକାଠି ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଓଡ଼ିଶାର ଲୋକମାନଙ୍କର ଏହା ଜାଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ରିହାତି ଓ ସୁବିଧା ପାଇଁ ରାଜ୍ୟକୁ ପ୍ରକୃତରେ କେତେ ମୂଲ୍ୟ ଦେବାକୁ ପଡ଼ୁଛି ଏବଂ ଏହା ବଦଳରେ ଓଡ଼ିଶା କ’ଣ ପାଉଛି? ଏହିସବୁ ତଥ୍ୟ ସରକାର ସାର୍ବଜନୀନ କରୁନାହାନ୍ତି କାହିଁକି ବୋଲି ଭକ୍ତ ଦାସ ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗରେ ଦଳ ରାଜ୍ୟବାସୀଙ୍କ ପାଖକୁ ଯିବ ଓ ସରକାର ନିରବ ରହିଲେ ଦୁର୍ବାର ଆନ୍ଦୋଳନ କରିବ ବୋଲି ଭକ୍ତ ଦାସ ଚେତାଇଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଓ ଦାବି ଉପସ୍ଥାପନ ସହ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା । ସେଗୁଡ଼ିକ ହେଲା:- ୧. ପ୍ରକଳ୍ପ ସମ୍ପର୍କିତ ସମ୍ପୂର୍ଣ୍ଣ ବୁଝାମଣାପତ୍ର (MoU)। ୨. HLCA ବୈଠକର ବିସ୍ତୃତ ବିବରଣୀ ଓ ନିଷ୍ପତ୍ତି। ୩. ପ୍ରକଳ୍ପ ସହ ଜଡ଼ିତ ସମସ୍ତ ଚୁକ୍ତିନାମା। ୪. ବିଦ୍ୟୁତ୍ ଓ ଜଳ ଯୋଗାଣର ବ୍ୟବସ୍ଥା ଏବଂ ସମ୍ପୃକ୍ତ ସର୍ତ୍ତାବଳୀ। ୫. ଟିକସ ରିହାତି, ଜମି, ଜଳ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ। Post navigation trains cancelled due to impending cyclone: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଦକ୍ଷିଣତଟ ରେଳପଥ ପକ୍ଷରୁ ୮ଟି ଟ୍ରେନ୍ ଯାତ୍ରା ବାତିଲ୍ ଓ ୨ଟି ଟ୍ରେନ୍ ରୁଟ୍ ପରିବର୍ତ୍ତିତ