ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ଯାତ୍ରୀମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭାରତୀୟ ରେଳବାଇ ପକ୍ଷରୁ ମୋଟ ୮ଟି ଟ୍ରେନ୍ ସେବାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ଅନ୍ୟ ୨ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଏହି ବାତ୍ୟାଟି ଅକ୍ଟୋବର ୨୮ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବାକୁ ଥିବାବେଳେ କେତେକ ସ୍ଥାନରେ ଏହା ୧୪୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଏଭଳି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶାଖାପାଟଣା-କିରଣ୍ଡୁଲ୍ ଏନଇ ଟ୍ରେନ୍ ୨୯ରୁ ୪ ତାରିଖ ପର୍ଯ୍ୟନ୍ତ ଉଭୟ ପଟୁ ବାତିଲ୍ କରାଯାଇଥିବା ବେଳେ ବିଶାଖାପାଟଣା-କୋରାପୁଟ୍ ପାସେଞ୍ଜର ୨୭ରୁ ୩୦ ତାରିଖ ଏବଂ କୋରାପୁଟ୍-ବିଶାଖାପାଟଣା ପାସେଞ୍ଜର ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ। ସେହିପରି ବିଶାଖାପାଟଣା-କୋରାପୁଟ୍ ଉଣ୍ଡରସିଟି ୧୯ ଓ ୨୦ ତାରିଖରେ ଯିବା ଏବଂ ଆସିବା ବନ୍ଦ ରହିବ ଏବଂ ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ପଟୁ ବାତିଲ୍ କରାଯାଇଛି।

ଅନ୍ୟପକ୍ଷରେ ଟ୍ରେନ୍ ରୁଟ୍ ପରିବର୍ତ୍ତନ ନେଇ ସୂଚନା ମିଳିଛି ଯେ, ହିରାଖଣ୍ଡ ଏକ୍ସପ୍ରେସ୍ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କେବଳ ରାୟଗଡ଼ା ପର୍ଯ୍ୟନ୍ତ ଯିବ ଏବଂ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ରାୟଗଡ଼ାରୁ ହିଁ ଆସିବ। ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତିକୁ ନେଇ ଦକ୍ଷିଣତଟ ରେଳପଥ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *