ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ଅଭିଭାଷଣ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଓଡିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନଟି ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଦୀର୍ଘ ୭୫ ବର୍ଷର ଓଡ଼ିଶା ବିଧାନ ସଭାର ଇତିହାସରେ ପ୍ରଥମ ଥର ପାଇଁ ଆଜି ଆମ ଦେଶର ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧନ କରିବା ସହିତ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବେ । ଏହି ଐତିହାସିକ ଅବସରରେ, ମୁଁ ଏ ପବିତ୍ର ଗୃହର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ଆନ୍ତରିକ ସ୍ଵାଗତ କରୁଛି।

ସେ ଆଉ କହିଛନ୍ତି ଆମ ପାଇଁ ଗୌରବର ବିଷୟ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମ ବିଧାନସଭାରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ନିଜର କଠୋର ଅଧ୍ୟବସାୟ ଓ ତ୍ୟାଗ ଫଳରେ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ଆମମାନଙ୍କ ପାଇଁ ଏହା ଶିକ୍ଷଣୀୟ, ସେ ନା’ ନିଜ ଜନ୍ମଭୂମିକୁ ଭୁଲିଛନ୍ତି, ନା’ ନିଜର କର୍ମଭୂମିକୁ। ନିଜ ଜନ୍ମଭୂମି ମୟୂରଭଞ୍ଜର ବିକାଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଆଜି ତାଙ୍କର ପ୍ରଥମ କର୍ମଭୂମିକୁ ପରିଦର୍ଶନ କରି, ସେ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ, ମଣିଷ ଯେତେବଡ ହେଲେ ସୁଦ୍ଧା, ନିଜର ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମିକୁ ଭୁଲିବା ଉଚିତ ନୁହେଁ। ନିଜର ମାଆ ମାଟିକୁ ଆଦୌ ଭୁଲିବା ଉଚିତ୍ ନୁହେଁ । ଏ ବିଷୟରେ କେବେ ମନରେ ମଧ୍ୟ ଆସିବା ଉଚିତ ନୁହେଁ । ଏହା ଆମ ଉତ୍କଳୀୟ ପରମ୍ପରା, ଆମ ଜଗନ୍ନାଥ ସଂସ୍କୃତିର ନିଚ୍ଛକ ପ୍ରତିଫଳନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଆଦିବାସୀ ପଲ୍ଲୀ ଉପରବେଡ଼ା ଗ୍ରାମର ଏକ ସାଧାରଣ ସାନ୍ତାଳି ପରିବାରରେ ଜନ୍ମ ଗ୍ରହଣ କରି ସମସ୍ତ ଝଡଝଞ୍ଜା ସତ୍ତ୍ୱେ ଆପଣ କେବେବି ଜୀବନରେ ହାର ମାନି ନାହାନ୍ତି । ରାଷ୍ଟ୍ରପତି ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଥିବା ବେଳେ ସେପ୍ଟେମ୍ବର ୨୦୧୬ ମସିହାରେ ଭୁବନେଶ୍ଵରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନିଜ ଅଭିଭାଷଣ ରଖିବା ଅବସରରେ, ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ନିଜ ଜୀବନ ସଂଗ୍ରାମ ବିଷୟରେ କହିଥିଲେ । ମୋର ମନେ ଅଛି, ଆପଣ କହିଥିଲେ, କିପରି ଭାବେ ସ୍କୁଲରେ ପଢିଲା ବେଳେ, ରୋଷେଇ କରିବା ପାଇଁ ପ୍ରତିକୂଳ ପରିସ୍ଥିତିରେ ବି ଜଙ୍ଗଲରୁ ରୋଷେଇ କରିବା ପାଇଁ କାଠ ସଂଗ୍ରହ କରୁଥିଲେ ।

ତେଣୁ, ଏଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ସଦସ୍ୟାଗଣ ଅନୁଭବ କରିପାରୁଥିବେ, ଏମିତି ଏକ ପରିବେଶରେ ସଂଘର୍ଷ କରି ରାଜନୀତିରେ ସଫଳ ହେବା ଏବଂ ଦେଶର ସର୍ବୋଚ ଆସନରେ ପହଞ୍ଚିବା କେବେହେଲେ ସଂଯୋଗ ନୁହେଁ । ଏହା ଜନସେବା ପାଇଁ ଆପଣଙ୍କ କଠୋର ତପସ୍ୟା ଏବଂ ଇଶ୍ଵରଙ୍କ ଆଶୀର୍ବାଦର ଫଳ। ଆଜି ଦିନରେ ଦଳମତ ନିର୍ବିଶେଷରେ, ଏ ପବିତ୍ର ଗୃହର ପ୍ରତ୍ଯେକ ସଦସ୍ୟ ଓ ସଦସ୍ୟା ଏହା ମୁକ୍ତ କଣ୍ଠରେ ସ୍ଵୀକାର କରିବେ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବ୍ୟକ୍ତିଗତ ଭାବେ ମୁଁ ଅଭିଭୂତ । କାରଣ ମୋ ପରି ଜଣେ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ସାଧାରଣ ବ୍ୟକ୍ତିକୁ, ମାନନୀୟା ରାଷ୍ଟ୍ରପତି ଜୀଙ୍କର ମାର୍ଗଦର୍ଶନରେ, ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି। ଓଡିଶା ପରି ରାଜ୍ୟ, ଯେଉଁଠାରେ ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି, ଜନଜାତି ସଂପ୍ରଦାୟର । ସେହି ସମ୍ପ୍ରଦାୟରୁ ଦେଶର କନିଷ୍ଠତମ ରାଷ୍ଟ୍ରପତି ତଥା ପ୍ରଥମ ନାଗରିକ ଭାବେ ସେବା କରିବା ପାଇଁ, ମାନନୀୟା ଦ୍ରୌପଦୀ ମୁର୍ମୁଙ୍କୁ ସୁଯୋଗ ମିଳିଛି ଏବଂ ରାଜ୍ୟର ସେବା କରିବା ପାଇଁ ମୁଖ୍ୟ ସେବକ ଭାବେ ମୋତେ ସୁଯୋଗ ମିଳିଛି ।

ଏହା କେବଳ ସମ୍ଭବ, ଆଜିର ଭାରତରେ, ଏବଂ ଏହି ସୁଯୋଗ ଦେଇଛି ଆମ ଭାରତୀୟ ସମ୍ବିଧାନ । ଗତକାଲି, ସାରା ଦେଶ ପାଳନ କରିଥିଲା ‘ସମ୍ବିଧାନ ଦିବସ’ ଏବଂ ସଂସଦର କେନ୍ଦ୍ରୀୟ ହଲ୍‌ରେ ମାନନୀୟା ରାଷ୍ଟ୍ରପତି, ଯେଉଁ ସାରଗର୍ଭକ ଅଭିଭାଷଣ ରଖିଥିଲେ, ତାହା ୧୪୦ କୋଟି ଦେଶବାସୀଙ୍କ ହୃଦୟକୁ ଛୁଇଁ ଯାଇଥିଲା । ଗୋଟିଏ ଦିନ ପରେ ହେଲେ ସୁଦ୍ଧା, ଆଜି ଆମେ ସମସ୍ତେ ସମ୍ବିଧାନର କଷ୍ଟୋଡିଆନ୍‌ଙ୍କ ଠାରୁ ପୁନର୍ବାର ଶୁଣିବାକୁ ସୁଯୋଗ ମିଳିବ । ତାଙ୍କର ଏହି ମାର୍ଗଦର୍ଶନ ଆମ ସରକାର ତଥା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ବାସ ରଖୁଥିବା ପ୍ରତ୍ଯେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ବହୁବାର ଓଡିଶା ଆଗମନ କରିଛନ୍ତି, ଅନେକ ବିକାଶମୂଳକ କାର୍ଯ୍ୟ ଓ ଅନେକ ପ୍ରକଳ୍ପ ଭେଟି ଦେଇଛନ୍ତି ଆମ ଓଡିଶାକୁ ।

କିନ୍ତୁ, ବିଧାନସଭାରେ ଆଜିର ଆଗମନ, ପୁଣିଥରେ ଆପଣଙ୍କ ସ୍ଵଚ୍ଛ, ଦକ୍ଷ ଏବଂ ନିପୁଣ କାର୍ଯ୍ୟଶୈଳୀ ବିଷୟରେ ସମସ୍ତ ସ୍ମୃତିକୁ ଜାଗ୍ରତ କରିଛି । ଏହି ପବିତ୍ର ଗୃହରେ ଆପଣଙ୍କର କାର୍ଯ୍ୟଦକ୍ଷତା ପାଇଁ ଆପଣ ପ୍ରଥମ ମହିଳା ଶ୍ରେଷ୍ଠ ବିଧାୟିକା ଭାବରେ ସମ୍ମାନିତ ହୋଇଥିଲେ, ଯାହାକି ସମଗ୍ର ନାରୀ ଜାତି ପାଇଁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ।

ଓଡ଼ିଶା ସରକାରରେ ମତ୍ସ୍ୟ ଓ ପଶୁପାଳନ, ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବରେ ଯୋଗ ଦେଇ ସୂଚାର ରୂପେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ ।

ଆପଣଙ୍କର ନୀତିନିଷ୍ଠ କାର୍ଯ୍ୟ ଓ ଉତ୍ସର୍ଗୀକୃତ ସମାଜ ସେବା ପାଇଁ, ଆପଣ ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବରେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ଅଧିଷ୍ଠିତ ହୋଇଥିଲେ । ଆପଣଙ୍କ କାର୍ଯ୍ୟକାଳ ସେହି ରାଜ୍ୟର ଇତିହାସରେ ସବୁଠାରୁ ଦୀର୍ଘତମ କିମ୍ବଦନ୍ତୀ ହୋଇରହିଛି।

ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଭାବେ ଆପଣ ଯେଉଁ ଭୂମିକା ନିଭାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ। ସାର୍ବଜନୀନ ଏବଂ ରାଜନୈତିକ ଜୀବନରେ ଆପଣଙ୍କ ପଦାଙ୍କ, ସମସ୍ତଙ୍କ ପାଇଁ ଅନୁକରଣୀୟ ।

ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ମନ୍ତ୍ର ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ଔର୍ ସବ୍‍କା ପ୍ରୟାସ’ ସହିତ ଆମ ସରକାର ସାଢେ ଚାରିକୋଟି ଓଡିଶାବାସୀଙ୍କ ସେବା କରିଆସୁଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆମ ସରକାର ଓଡ଼ିଶାର ପ୍ରତ୍ଯେକ ବର୍ଗ ଯେପରିକି ମହିଳା, ଅନ୍ନଦାତା, ଯୁବ, ଗରିବ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟକରୁଛି ଏବଂ ଆପଣଙ୍କ ମାର୍ଗଦର୍ଶନରେ ଆଗକୁ ମଧ୍ୟ ଏହା ଜାରି ରହିବ । ଏହି ଅଳ୍ପ ଦିନର ଶାସନରେ ଆମ ସରକାର ଲୋକଙ୍କୁ ସ୍ଵଚ୍ଛ, ନିର୍ମଳ, ଦକ୍ଷ ଓ ପ୍ରଗତିଶୀଳ ଶାସନ ପ୍ରଦାନ କରିଆସୁଛି । *ସରକାର ଓ ଲୋକଙ୍କ ଭିତରେ ଥିବା ପ୍ରତିବନ୍ଧକୁ ଭାଙ୍ଗି ସରକାରକୁ ଲୋକଙ୍କ ନିକଟତର କରିଛୁ ।

ସେଥିପାଇଁ ଆମ ସରକାରକୁ ସାଧାରଣ ଜନତା ‘ଲୋକଙ୍କ ସରକାର’ର ଆଖ୍ୟା ଦେଇଛନ୍ତି ଏବଂ ତାଙ୍କର ମୁଖ୍ୟ ସେବକଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଅବିହିତ କରିଛନ୍ତି।

ମାନନୀୟା ରାଷ୍ଟ୍ରପତି ଜୀ,

ଆଜି ଆପଣଙ୍କ ଅଭିଭାଷଣ କେବଳ ଏହି ପବିତ୍ର ଗୃହର ନୀତି ଆଦର୍ଶକୁ କେବଳ ମାର୍ଗଦର୍ଶନ କରିବ ନାହିଁ, ବରଂ ସାଢେ ଚାରି କୋଟି ଓଡ଼ିଆ’ଙ୍କ ଅଦମ୍ୟ ଭାବନାକୁ ପ୍ରୋତ୍ସାହିତ କରିବ । ଶାନ୍ତି, ମୈତ୍ରୀ, ସମତା ଓ ସଦ୍‌ଭାବନାକୁ ନେଇ, ଏକତାର ମନ୍ତ୍ରରେ ଚିରସ୍ଥାୟୀ ଭାବରେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ, ଏ ବିଶ୍ୱାସ ଆମମାନଙ୍କର ଅଛି ।

ଆପଣଙ୍କ ସାରଗର୍ଭକ ଅଭିଭାଷଣ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଓଡିଶାର ଅବଦାନ ପାଇଁ ଆମକୁ ମାର୍ଗଦର୍ଶନ କରିବ।ଆଜିର ଏହି ପବିତ୍ର ଦିନରେ ମୋର ପ୍ରାର୍ଥନା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟକୃପା ଆମ୍ଭମାନଙ୍କୁ ପଥ ପ୍ରଦର୍ଶନ କରୁଥାଉ ।

Leave a Reply

Your email address will not be published. Required fields are marked *