ଭାରତର ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟୁଥିବା ବେଳେ ଓଡ଼ିଶା ନିଜକୁ ଦେଶର ଅଗ୍ରଣୀ ଉତ୍ପାଦନ ହବ୍ ଭାବେ ଗଢ଼ିତୋଳିବାକୁ ଆଗେଇ ଆସିଛି। ଅକ୍ଟୋବର ୨୨ରୁ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବହୁପ୍ରତୀକ୍ଷିତ ‘ଇଣ୍ଡିଆ କେମ୍-୨୦୨୬’ ଶିଳ୍ପ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟକ୍ଷ ଭାବେ ଯୋଗ ଦେବାକୁ ଯାଉଛନ୍ତି। ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନୀ ଅଧିବେଶନରେ ଯୋଗଦେବା ସହ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ସିଇଓ ରାଉଣ୍ଡଟେବୁଲ୍ରେ ଭାଗ ନେବେ ଏବଂ ୨୦ରୁ ଅଧିକ ପ୍ରମୁଖ କମ୍ପାନୀର ଶୀର୍ଷସ୍ଥ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଡାଉନଷ୍ଟ୍ରିମ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଏହି ବୈଠକଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡ଼ୁ ଭଳି ଦେଶର ବଡ଼ ଶିଳ୍ପରାଜ୍ୟଗୁଡ଼ିକ ସହ ଓଡ଼ିଶା ମଧ୍ୟ ଏହି ମଞ୍ଚରେ ସମାନ ସ୍ଥାନ ଗ୍ରହଣ କରି ଜାତୀୟ ଶିଳ୍ପ ରଣନୀତିରେ ନିଜର ପ୍ରଭାବ ବୃଦ୍ଧି କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଓଡ଼ିଶାରେ ‘ନିବେଶ ଆଉଟରିଚ୍’ କାର୍ଯ୍ୟକ୍ରମର ନେତୃତ୍ୱ ନେବେ, ଯାହାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟକୁ ବୃହତ୍ ନିବେଶକମାନଙ୍କୁ ଆକୃଷ୍ଟ କରିବା ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସ୍ଥିତିକୁ ଅଧିକ ସୁଦୃଢ଼ କରିବା। ଏହି ସମ୍ମିଳନୀରେ ସ୍ୱେଚ୍ଛାକୃତ ଭାବେ ଓଡ଼ିଶା ନିଜର ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସମ୍ଭାବନାକୁ ଶିଳ୍ପପତିମାନଙ୍କ ଆଗରେ ପ୍ରଦର୍ଶନ କରିବ। ଏହି କାର୍ଯ୍ୟକ୍ରମରେ କୋଲ୍ ଗ୍ୟାସିଫିକେସନ୍ ଏବଂ ଏକ ବିଶାଳ କେମିକାଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ଭାବରେ ଆଲୋକପାତ କରାଯିବ, ଯାହା ନିବେଶକମାନଙ୍କୁ ପ୍ଲଗ୍-ଆଣ୍ଡ-ପ୍ଲେ ବ୍ୟବସ୍ଥା ଭଳି ସୁବିଧା ଯୋଗାଇଦେବ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମତ ପ୍ରକାଶ କରିଛନ୍ତି ଯେ ଓଡ଼ିଶାର ମଜବୁତ ଶିଳ୍ପ ଭିତ୍ତିଭୂମି ଆଜି ନିବେଶକଙ୍କୁ ଆକୃଷ୍ଟ କରୁଛି ଏବଂ ଏହି ସମ୍ମିଳନୀ ରାଜ୍ୟର ଅଭିବୃଦ୍ଧି ପାଇଁ ନୂତନ ଦ୍ୱାର ଖୋଲିବ। ଗତ ଦୁଇ ବର୍ଷ ଭାତରେ ରାଜ୍ୟର କେମିକାଲ୍ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ୫୬ଟି କମ୍ପାନୀ ପକ୍ଷରୁ ପ୍ରାୟ ୧,୯୩,୦୮୭.୯୪ କୋଟି ଟଙ୍କାର ପ୍ରସ୍ତାବ ଆସିଥିବାବେଳେ ଏହାଦ୍ୱାରା ଲକ୍ଷାଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। Post navigation Asian Para Games: ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶାର ପାୟଲ ନାଗ୍ଙ୍କୁ ରୌପ୍ୟ ପଦକ टाइगर श्रॉफ फायरिंग मामले में नया खुलासा, ‘डेड लेटर बॉक्स’ के जरिए पहुंचाए गए थे हथियार