ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦେଶ କରିଛନ୍ତି । ଏହାସହିତ ପ୍ରତ୍ୟେକ ମାସର ୭ତାରିଖ ସୁଦ୍ଧା କେଉଁ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ମିଳିଛି କି ନାହିଁ ତା’ର ମାସିକିଆ ରିପୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବାକୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ମାନବିକତା ତଥା ଉତ୍ତମ ପ୍ରଶାସନ ଦୃଷ୍ଟିକୋଣରୁ ଅବସର ଦିନ ସମସ୍ତ ଅବସରପ୍ରାପ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନକୁ ସୁନିଶ୍ଚିତ କରିବା ବିଭାଗୀୟ ଅଫିସରମାନଙ୍କ ଦକ୍ଷତାର ମାପକାଠିର ପରିଚାୟକ ବୋଲି ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଛନ୍ତି ।

ମୁଖ୍ୟ ସଚିବ ଶ୍ରୀ ଆହୁଜା ଆଜି ରାଜ୍ୟର ସମସ୍ତ ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସଂକ୍ରାନ୍ତରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି । ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ କର୍ମଚାରୀଙ୍କୁ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଡିସେମ୍ବର ୧୨ତାରିଖରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବିଭାଗଗୁଡ଼ିକ ସଠିକ୍ ଭାବେ ଏହାକୁ ପାଳନ କରୁନଥିବା ତାଙ୍କ ଦୃଷ୍ଟିକୁ ଆସିଛି ବୋଲି କହିଛନ୍ତି । ତେଣୁ ଓଡ଼ିଶା ସିଭିଲ୍ ସର୍ଭିସ ପେନସନ୍ ନିୟମ-୧୯୯୨ ଓ ସାଧାରଣ ପ୍ରଶାସନ ବିଭାଗର ୨୦୧୯ ଡିସେମ୍ବର ୧୨ ତାରିଖର ଚିଠି ଅନୁସାରେ ସମସ୍ତ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ନିମନ୍ତେ ନିଜ ବିଭାଗ ଅଧିନସ୍ଥ ସମସ୍ତ ବିଭାଗୀୟ ମୁଖ୍ୟ ଓ ପେନସନ୍ ମଞ୍ଜୁରକାରୀ ଅଫିସରଙ୍କୁ ପୁନଃ ଅବଗତ କରାଇବାକୁ ଶ୍ରୀ ଆହୁଜା କହିଛନ୍ତି ।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବା ଭିଜିଲାନ୍ସ ମାମଲା ଥାଏ ତା’ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଅବସର ଗ୍ରହଣର ଯଥେଷ୍ଟ ପୂର୍ବରୁ ତାକୁ ଫଏସଲା କରିବା ପାଇଁ ସମ୍ପୃକ୍ତ ବିଭାଗସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ ।

ତେଣୁ ପ୍ରତ୍ୟେକ ମାସରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଉଛି ତା’ର ତଥ୍ୟ ସମ୍ପୃକ୍ତ ଅଧିକାରୀମାନେ ପରବର୍ତ୍ତୀ ମାସର ୭ତାରିଖ ସୁଦ୍ଧା ସାଧାରଣ ପ୍ରଶାସନ ବିାଗର ସ୍ୱତନ୍ତ୍ର ସଚିବଙ୍କୁ ଇ-ମେଲ୍ ମାଧ୍ୟମରେ ଜଣାଇବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟ ସଚିବ ଶ୍ରୀ ଆହୁଜା ଏହି ଚିଠି ସହ ୨୦୧୯ ଡିସେମ୍ବର ୯ତାରିଖରେ ପେନସନ୍ କୋର କମିଟି ବୈଠକର ବିବରଣୀ ମଧ୍ୟ ସଂଲଗ୍ନ କରିଛନ୍ତି ଯେଉଁଥିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଠିକ୍ ସମୟରେ ପେନସନ୍ ପ୍ରଦାନ ନିମନ୍ତେ କ’ଣ ସବୁ ପଦକ୍ଷେପ ନିଆଯିବା ଜରୁରୀ ତାହା ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *