ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଯୁକ୍ତ ଦୁଇ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥିସହ ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା’ ରିପୋର୍ଟ ବି ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ଏହିଭଳି ବ୍ୟବସ୍ଥା କରାଯାଇଛି । ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନିରପେକ୍ଷ ପରୀକ୍ଷା ପରିଚାଳନା ଓ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରୟାସ କରାଯାଉଥିବା ବେଳେ ଏନେଇ କଲେଜଗୁଡିକକୁ ତାଗିଦ କରାଯାଇଛି । ଏହା ସହ ପରୀକ୍ଷା ସ୍ୱଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍, ଏକଜାମ୍ ହଲ୍ ସହ ସେଲ୍ଫ ଫାଇନାଲିଂ କଲେଜର ସମସ୍ତ ଲାବରେଟୋରିରେ ବି ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟରେ ନିର୍ଦ୍ଦେଶ ଅନୁପାଳନ ନ କରିବେ ସେଠି ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ୍ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବାକୁ ନିଷ୍ପତ୍ତି ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର କହିଛନ୍ତି, “ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର, ଷ୍ଟ୍ରଙ୍ଗ ରୁମ୍, ଲାବ୍ରୋଟୋରୀ ଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସିସିଟିଭି ନଲାଗିଥିଲେ ତୁରନ୍ତ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ଲାଗିଥିବା କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ ତାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସିସିଟିଭି କ୍ୟାମେରାରେ ତାରିଖ ସହ ସମୟ ଆସୁଥିବା ଆବଶ୍ୟକ । ଯେଉଁ ଶିକ୍ଷାନୁଷ୍ଠାନ ପ୍ରଥମ କରି ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଥିବେ ସେମାନଙ୍କ ପାଇଁ ମଧ୍ୟ ସମାନ ଗାଇଡଲାଇନ ରହିବ ।

Leave a Reply

Your email address will not be published. Required fields are marked *