ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିରୁଭଲ୍ଲୁର ଜିଲ୍ଲାର ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୨ ଓଡ଼ିଆ ମହିଳା ଜୁମାଣୀ ଜୁଆଙ୍ଗ ଓ ମାଳତିଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣରେ ମୋଟ ୭ ଜଣ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଅସୁସ୍ଥ ଅଛନ୍ତି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି  ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ପ୍ରଭାବିତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ସେଠାରେ ତୁରନ୍ତ ସମନ୍ୱୟ ରକ୍ଷା କରିବା ସହ ଆମ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଆମ ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଯେପରି ଓଡ଼ିଆ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇ ପାରିବ ଏବଂ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳି ପାରିବ, ସେ ବିଷୟରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *