bjp ends miller rule in mandi
ଧାନ କିଣାରେ ରାଜ୍ୟ ସରକାର ମିଲର ମାଲିକଙ୍କ ରାଜୁତି ଖତମ କରିଦେଇଥିବାରୁ ଛାନିଆ ହୋଇଯାଇଛି ବିଜେଡି । ଏହାପରେ ଧାନ କିଣା ପ୍ରକ୍ରିୟା ଫେଲ କରାଇବା ପାଇଁ ମିଲରମାଲିକଙ୍କୁ ଆୟୁଧ କରି ଯେଉଁସବୁ ହୀନ ଉପାୟ କରୁଥିଲା ତାହା ପଦାରେ ପଡ଼ିଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।
 
ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ବୁଲନ୍‌ସେବା ସଦନ ସଭା କକ୍ଷରେ ଆଜି ଧାନ ସଂଗ୍ରହ ଅଭିଯାନ ଉପରେ ପ୍ରତ୍ୟେକ ଜିଲ୍ଲାର ଚାଷୀ ନେତାଙ୍କ ସହ ସମୀକ୍ଷା ବୈଠକ କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାହୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଚାଷୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।
 
ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟକୁ ୨ଗୁଣ କରିବା ସହ ଟୋକନ ବ୍ୟବସ୍ଥାର ସରଳୀକରଣ କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୮୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ଦେଉଛନ୍ତି । ଏହିପରି ମୋଟ୍ ୩୧୦୦ ଟଙ୍କା ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚିଯାଇଛି । ଚାଷୀ ଧାନ ବିକ୍ରି କରିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଟଙ୍କା ପାଇଯାଉଛନ୍ତି ।
 
ସାହୁ କହିଛନ୍ତି ଯେ, ସାରା ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ବିଶେଷକରି ପ୍ରଚୁର ଧାନ ଉତ୍ପାଦନର ପେଣ୍ଠ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଶତକଡ଼ା ୭୦ ଭାଗରୁ ଊର୍ଦ୍ଧ୍ୱ ଧାନ କିଣା ସରିଯାଇଛି । ସରକାରଙ୍କ ଏସବୁ ଚାଷୀ କଲ୍ୟାଣକାରୀ ଯୋଜନା ଓ ପଦକ୍ଷେପଗୁଡ଼ିକର ବାର୍ତ୍ତା ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ପ୍ରତ୍ୟେକ ଧାନମଣ୍ଡିରେ କୃଷକ ମୋର୍ଚ୍ଚାର ସମସ୍ତ କର୍ମକର୍ତ୍ତା ସଜାଗ ପ୍ରହରୀ ଭଳି ଛିଡ଼ା ହୋଇ ଚାଷୀଙ୍କୁ ନ୍ୟାୟ ଓ ମୂଲ୍ୟ ପ୍ରଦାନରେ ସହାୟକ ହେବା ପାଇଁ ନିଜ ଭୂମିକା ନିର୍ବାହ କରିବାକୁ ନିବେଦନ କରାଯାଇଥିଲା ।
 
ଏଥିସହ ତୃଣମୂଳସ୍ତରରେ ଚାଷୀଙ୍କ ପାଖରେ ସରକାରଙ୍କ ଚାଷୀ କଲ୍ୟାଣକାରୀ ବାର୍ତ୍ତା ପହଞ୍ଚାଇବା ପାଇଁ କୃଷକ ମୋର୍ଚ୍ଚା ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ନିଷ୍ପତି ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *