ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଛି ବିଜେପି।‘ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ତାହା ସନ୍ଦେହରେ ରହିଛି।ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି ବୋଲି ବିଜେପି କହିଛି। ଜଣେ ଜଜ୍‌ ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯାଉ ବୋଲି ବିଜେପି ଡିଜିପିଙ୍କୁ ଚିଠିରେ ଅନୁରୋଧ କରିଛି।

ବିଜେପି କହିଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓଗୁଡ଼ିକରୁ ଏହା ପ୍ରତିପାଦିତ ହୋଇପାରିଛି ଯେ, ଶ୍ରୀ ପାଣ୍ଡିଆନ ଏବଂ ତାଙ୍କ ଗୋଷ୍ଠୀରେ ଥ‌ିବା କିଛି ଅଣଓଡ଼ିଆ ଅଧୁକାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଧନ କରି ରଖୁଛନ୍ତି । ପ୍ରୋଟକଲ ଅନୁଯାୟୀ ତାଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଆପଣ (ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ) ମଧ୍ୟ ଚର୍ଚ୍ଚା କରିପାରୁଛନ୍ତି କି ନାହିଁ ସେନେଇ ଆମର ସନ୍ଦେହ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧୁକାର ସମସ୍ତ ଓଡିଶାବାସୀଙ୍କର ଅଛି । ତେଣୁ ଓଡ଼ିଶା ବିଜେପି ପକ୍ଷରୁ ନିବେଦନ କରାଯାଉଛି ଯେ, ଆପଣ ଜଣେ ବିଚାରପତି ଓ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭି.କେ.ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ରାଜ୍ୟର ଗଣମାଧ୍ଯମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରନ୍ତୁ । ଆମେ ଆଶା କରୁଛୁ କି ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଏକ ସମ୍ବେଦନଶୀଳ ବିଷୟ ପ୍ରତି ଆପଣ ଗୁରୁତ୍ବ ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।ଖବର ସରବରାହ ସଂସ୍ଥା ANIକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି’। ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ବୁଲି ପ୍ରଚାର କରୁଛି।

By Nirvay

Leave a Reply

Your email address will not be published. Required fields are marked *