ବିଧାନ ସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ବିଜେଡି ବିଧାୟକ ମାନଙ୍କୁ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ । ନବୀନ ପଟ୍ଟନାୟକ କହିଛନ୍ତି, ସଂପ୍ରତି ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି । ଗଞ୍ଜାମରେ ଘଟିଯାଇଥିବା ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍କୃଷ୍ଟ ଉଦାହରଣ । ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି ବୋଲି ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଗଞ୍ଜାମର ବନ୍ୟା କ୍ଷୟକ୍ଷତି ତାଙ୍କୁ ବ୍ୟଥୀତ କରିଛି ବୋଲି ପ୍ରକାଶ କରି ରାଜ୍ନୈତିକ ବାଛ ବିଚାରରେ ରିଲିଫ ବଣ୍ଟନକୁ ସେ ନିନ୍ଦା କରିଥିଲେ । ସେହିପରି MMDR Act ସଂଶୋଧନ ଦ୍ୱାରା ଓଡିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ନବୀନ ପଟ୍ଟନାୟକ କହିବା ସହ ଏହି କଳା ଆଇନକୁ ବିଜେଡିର ବିରୋଧ ଜାରୀ ରହିବ । କୋଟିଆ ପ୍ରସଙ୍ଗରେ ନବୀନ ପଟ୍ଟନାୟକ କହିଥିଲେ ଯେ ଉଭୟ ଆନ୍ଧ୍ର ଓ ଓଡିଶାରେ NDA ର ସରକାର ଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି । ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ତାର ଲଢେଇ ଜାରୀ ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରି ନବୀନ ପଟ୍ଟନାୟକ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଦାୟୀତ୍ୱ ନେବା ଠାରୁ ଚାଷ ଓ ଚାଷୀ ଉଭୟ ଅବହେଳିତ ହୋଇ ଆସୁଛନ୍ତି । ମଣ୍ଡି ଠିକ୍ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । Food Corporation of India ଓଡିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ୱାରା ଚାଷୀର ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି । ତେଣୁ ବିଜେଡି ଚାଷୀର କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଛାତ୍ର ସଂସଦ ନିର୍ବାଚନରେ ସରକାରଙ୍କର ଅର୍ଥ ବଳ ଓ ବାହୁ ବଳ ଏବଂ ସରକାରୀ ହସ୍ତକ୍ଷେପ ସତ୍ତ୍ୱେ ଓଡିଶାର ଜେନ୍-ଜି ବିଜୁ ଜନତା ଦଳ ସହିତ ରହିଥିବାରୁ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ସରକାରଙ୍କ ଉଦ୍ୟମର ତୀବ୍ର ନିନ୍ଦା କରିଥିଲେ । ସେହିପରି ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା ପେନ୍ସନ କ୍ଷେତ୍ରରେ ସରକାର ଟାଳଟୁଳ ନୀତି ଯୋଗୁଁ ବୁଢା ବୁଢୀମାନେ ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରୁଥିବା ଖବରରେ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ । ଅନ୍ୟାନ୍ୟ ବିଷୟ ମଧ୍ୟରେ ଓଡିଶାରେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଓ ପରିବା ପତ୍ରର ଅସ୍ୱାଭାଭିକ ଦର ବୃଦ୍ଧି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ପ୍ରସଙ୍ଗ ଗୃହରେ ବିଜେଡି ଉଠାଇବ ବୋଲି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ । Post navigation Cyclone Akvan Alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା; ୩ ଜିଲ୍ଲାକୁ ୬.୫ କୋଟିର ଅଗ୍ରିମ ସହାୟତା