ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ । ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ପିଲାଙ୍କ ପାଇଁ କ୍ରିକେଟ କିଟ୍, ଗାଁ ମନ୍ଦିରକୁ ସାଉଣ୍ଡ ସିଷ୍ଟମ ସହ ଭଳିକି ଭଳିକି ଗିପ୍ଟ ଦେଇ ଭୋଟରଙ୍କୁ ପ୍ରଲୋଭିତ କରାଯାଉଛି । ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ପ୍ରତିନିଧି ମଣ୍ଡଳୀ ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ମଧ୍ୟ ସିଇଓଙ୍କୁ ଜଣାଇଛି ବିଜେପି ଟିମ୍ ।

ସୂଚନାଯୋଗ୍ୟ ବିଜେପି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରି ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ,ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରରୋଚନାରେ ସିଦ୍ଧାର୍ଥ ଶାହ ଓ ସମରଜିତ୍ ପଟ୍ଟନାୟକ ସମ୍ବଲପୁରର ବିହାରିପଡ଼ାର ଚନ୍ଦରପୁର ବସ୍ତିରେ ଭୋଟରଙ୍କୁ କ୍ରିକେଟ୍ କିଟ୍‌, ବିଭିନ୍ନ ଦେବାଳୟକୁ ମ୍ୟୁଜିକ୍ ସେଟ୍‌, ଯୁବକଙ୍କୁ ବିଭିନ୍ନ ପ୍ରକାର ମନଲୋଭା ଉପହାର ବାଂଟୁଛନ୍ତି। ଏନେଇ ପୂର୍ବରୁ ବିଜେପି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲା କିନ୍ତୁ ସୁଫଳ ମିଳିନାହିଁ। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ହେଉଛି। ଯାହାର ଭିଡିଓ ଓ ଫଟୋକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ବିଜେପି ଦାବି କରିଛି।

Leave a Reply

Your email address will not be published. Required fields are marked *