BJD blames Odisha Govt for Balasore students-self-immolation-case
ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ, ପୋଲିସର ନିଷ୍କ୍ରିୟତା ଓ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେଡି । ରାଜ୍ୟରେ ନାରୀ ନ୍ୟାୟ ପାଇବା ପାଇଁ କାହା ପାଖରେ ଦ୍ୱାରସ୍ଥ ହେବ ବୋଲି ବିଜେଡି ପ୍ରଶ୍ନ କରିଛି ।
 
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ, ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ଜୁଲାଇ ୧ ତାରିଖରେ ଲିଖିତ ଭାବେ ଜୈନିକ ଅଧ୍ୟାପକ ତାଙ୍କଠାରୁ ଶାରୀରିକ ସୁଖ ପାଇଁ ଚାହୁଁଥିଲା ଭଳି ସଂଗୀନ ଅଭିଯୋଗ କରିଥିଲେ, ଅଧ୍ୟକ୍ଷ ଏହି ଅଭିଯୋଗକୁ ଗୁରୁତର ସହ ନେଇନଥିଲେ ।
 
ଫଳରେ ଅଧ୍ୟକ୍ଷ କୌଣସି ତ୍ୱରିତ ପଦକ୍ଷେପ ନ ନେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେବାରୁ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ । ଯାହାକୁ ପ୍ରତାପ ଷଡଙ୍ଗୀ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି । କିନ୍ତୁ ବିଡମ୍ବନାର କଥା ଷଡଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ।
 
ଘଟଣାକୁ ହାଲକା ଭାବେ ନେବା ଦ୍ୱାରା ଆଜି ଛାତ୍ରୀ ଜଣଙ୍କ ଦୀର୍ଘ ୧୨ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ।
 
ଛାତ୍ରୀ ଜଣଙ୍କ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରିଲେ ନାହିଁ । ହେଲେ ଜଣେ ସାଧାରଣ ଛାତ୍ରୀ ଏହି ସରକାରଠାରୁ ସୁରକ୍ଷା ଓ ନ୍ୟାୟ କିଭଳି ଆଶା କରିବ ?
 
ଛାତ୍ରୀ ଜଣଙ୍କ ଏବିଭିପିର ସଦସ୍ୟା ହୋଇଥିଲେ ମଧ୍ୟ ଆମ ପାଇଁ ନାରୀର ସୁରକ୍ଷା ଓ ସମ୍ମାନ ସର୍ବଉପରେ । ଏହି ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖିବ । ଏହି ବର୍ବରୋଚିତ ଘଟଣା ଘଟିଲା ପରେ କଲେଜ ଅଧ୍ୟକ୍ଷ ଯେଉଁ ଦାୟିତ୍ୱହୀନ ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଲେ ଯେ, ଏହା ଏକ ବଡ ଅଭିଯୋଗ ନୁହେଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଅଧ୍ୟକ୍ଷ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ତେଣୁ ଅଧ୍ୟକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରି ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି ।
 
ନିକଟରେ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ନୃଶଂସ ଭାବେ ଗଣଦୁଷ୍କର୍ମ କରାଗଲା, ଏହି ଲୋମହର୍ଷଣକାରୀ ଘଟଣା ଛାତ୍ର ସମାଜର ମନରୁ ନଲିଭିଥିଲା ବେଳେ ଫକୀର ମୋହନ କଲେଜରେ ଆଜିର ଏହି ଘଟଣା ସେମାନଙ୍କୁ ଅଧିକ ମର୍ମ୍ମାହତ କରିଛି । ଏହି ଘଟଣାରେ ସ୍ପଷ୍ଟ ପ୍ରତୀୟମାନ ହେଉଛି, ରାଜ୍ୟରେ ଛାତ୍ରୀ ଓ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି । ଯାହା ଦର୍ଶାଉଛି ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି ।
 
ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବୁଝିବା ପାଇଁ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଏମ୍ସ ଗସ୍ତ କରି ପୀଡିତାଙ୍କ ଭାଇଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ମେୟର ସୁଲୋଚନା ଦାସ, ବିଧାୟକ ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ, ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଓ ମୁଖପାତ୍ର ଇପ୍ସିତା ସାହୁ ପ୍ରମୁଖ ରହିଛନ୍ତି ।
 
 
 
 

By Nirvay

Leave a Reply

Your email address will not be published. Required fields are marked *