ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ଓ ଦମୟନ୍ତୀ ବେଶ୍ରା। ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ଧରିଛନ୍ତି ।

ଭର୍ତ୍ତୃହରି ମହତାବ କଟକରୁ ଏମପି ଭାବେ ୬ଥର ନିର୍ବାଚିତ ହୋଇଛନ୍ତି। ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪, ୨୦୧୯ ରେ ନିର୍ବାଚିତ ହୋଇଥିଲେ।

ସିଦ୍ଧାନ୍ତ ୨ ଥର (୨୦୦୯ ଓ ୨୦୧୪) ବ୍ରହ୍ମପୁରରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ବ୍ୟତୀତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ମୟୁରଭଞ୍ଜରୁ ଦମୟନ୍ତୀ  ସାନ୍ତାଳୀ ଲେଖକ ଭାବେ ପରିଚିତ  ଏବଂ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ସୂଚନା ଅନୁଯାୟୀ ତାଙ୍କୁ ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ।

ଭର୍ତ୍ତୃହରି ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭର୍ତ୍ତୃହରି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିଭଳି ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବେ ବୋଲି ନିର୍ଭୟ ମାର୍ଚ୍ଚ ୧ ତାରିଖରେ ରିପୋର୍ଟ ଦେଇଥିଲା । ସିଦ୍ଧାନ୍ତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ସିଦ୍ଧାନ୍ତଙ୍କୁ ଦଳ ଟିକେଟ ଦେଇନଥିଲା । ଏପରିକି ଏହାପରେ ସିଦ୍ଧାନ୍ତଙ୍କ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । କିନ୍ତୁ କିଛି ମାସ ପୂର୍ବରୁ ସିଦ୍ଧାନ୍ତ ପୁଣିଥରେ ନିର୍ବାଚନ ମଣ୍ଡଳୀ ବୁଲିବା ଆରମ୍ଭ କରିବାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ବଢିଥିଲା । ଆଜି ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସିଦ୍ଧାନ୍ତ ।

ଭର୍ତ୍ତୃହରିଙ୍କୁ ଦଳ କଟକ ଲୋକସଭାରୁ ପ୍ରାର୍ଥୀ କରିପାରେ । ସେହିଭଳି ସିଦ୍ଧାନ୍ତଙ୍କୁ ଦଳ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *