ରବିବାର ସନ୍ଧ୍ୟାରେ ହୋଟେଲ ଏଚ୍‌ଏଚ୍‌ଆଇରେ ପିସିସି ସାମାଜିକ ଗଣମାଧ୍ୟମ ବିଭାଗ ଦ୍ବାରା ଆୟୋଜିତ ‘ମିଟ୍‌-ଦି-ପ୍ରେସ୍’ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉଦ୍‌ବୋଧନର ଦେଇ କହିଛନ୍ତି; ଅଶୀ ଦଶକରେ କଳାହାଣ୍ଡିରେ ଦୁର୍ଭିକ୍ଷ ଭଳି ପରିସ୍ଥିତିରେ ଆମର ସଂଘର୍ଷମୟ ବ୍ୟାଖ୍ୟାନକୁ ଅନ୍ତର୍ଜାତୀୟ ସ୍ତର ଯାଏ ନେବାରେ ସାମ୍ବାଦିକମାନଙ୍କର ଭୂମିକା ରହିଛି। ସେହି ସମୟରେ ବାଲିଆପାଳ ଘାଟି ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ସହ କଳାହାଣ୍ଡିର ଗଣଦାରିଦ୍ର୍ୟ ମଧ୍ୟ ଆପଣମାନଙ୍କ ପାଇଁ ଶିରୋନାମା ମଣ୍ଡନ କରୁଥାଏ। ଆପଣମାନେ ଯୁବଛାତ୍ର ସଂଘର୍ଷ ବାହିନୀର ଆମର ଆନ୍ଦୋଳନକୁ ନିୟମିତ ଲୋକଲୋକଚନକୁ ଆଣୁଥିଲେ।

ସେ ଆଉ ମଧ୍ୟ କହିଛନ୍ତି ୧୯୮୯ରେ ଲୋକସଭାକୁ ନିର୍ବାଚିତ ହୋଇ ପ୍ରଥମେ କେନ୍ଦ୍ରରେ ମନ୍ତ୍ରୀ ଓ ପରେପରେ ଅନେକ ରାଜ୍ୟର ପ୍ରଭାରୀ ଦାୟିତ୍ବ ନେବା ଫଳରେ ମୁଁ ଦିଲ୍ଲୀକୈନ୍ଦ୍ରିକ ହେବାରୁ ଓଡ଼ିଶାର ସାମ୍ବାଦିକ ଜଗତ ସହ ସବୁବେଳେ ସମ୍ପର୍କରେ ରହିବା ସମ୍ଭବ ହେଲାନାହିଁ। ମନ୍ତ୍ରୀପଦରୁ ଗଲା ପରେ ଅବିଭକ୍ତ ବଲାଙ୍ଗୀରର ୩୨୦ କି.ମି. ପଦଯାତ୍ରା କରି ବ୍ୟାପକ ଜନଜାଗରଣ ସୃଷ୍ଟି କରିଥିଲୁ। ସେଥିରେ ଗଣମାଧ୍ୟମର ସହଯୋଗ ଥିଲା।

ନିୟମଗିରିର ସୁରକ୍ଷା ପାଇଁ ୫ ବର୍ଷର ସଂଘର୍ଷକୁ ମଧ୍ୟ ଗଣମାଧ୍ୟମ ଯଥା ଗୁରୁତ୍ବ ଦେଇଥିଲା। ଏହି ସଫଳ ଆନ୍ଦୋଳନ ପ୍ରମାଣ କରିଦେଇଥିଲା ଯେ ଅହିଂସାତ୍ମକ ଆନ୍ଦୋଳନ ଆଜି ବି ସମ୍ଭବ। କେନ୍ଦ୍ରରେ ଆମର ସରକାର ଥିବାରୁ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଏହି ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ସ୍ତର ଯାଏ ନେବା ଆମ ପକ୍ଷରେ ସହଜ ହୋଇଥିଲା।

ଭକ୍ତ ଦାସ ଆଉ ମଧ୍ୟ କହିଛନ୍ତି ଏବେ ସମୟ ବଦଳିଯାଇଛି। ଡବଲ-ଇଂଜିନ ସରକାର ଆନ୍ଦୋଳନଗୁଡ଼ିକୁ ଚପେଇଦେବାର ମାନସିକତା ନେଇ ଚାଲିଛନ୍ତି। ମହିଳା, ଛାତ୍ରଛାତ୍ରୀ, ଚାଷୀ, ଦୁର୍ନୀତି -ଏ ସବୁକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରିଛୁ। କିନ୍ତୁ ଗାଲେଇଦେବାରେ ବିଜେପି ପୂର୍ବର ସବୁ ସରକାରକୁ ଟପିଯାଇଛି। ଗଣମାଧ୍ୟମ ପରିଚାଳନାରେ ବିଜେପି ଶାସନ ସବୁ ରେକର୍ଡ ଅତିକ୍ରମ କରିଯାଇଛି। ଆମେ ପାରିବୁନି। କିନ୍ତୁ ଆମେ ଲଢ଼ିଚାଲିବୁ; ଓଡ଼ିଶାରେ ଜାଗରଣ ଆଣିବୁ। ତେଣେ ଗଣମାଧ୍ୟମ ମଧ୍ୟ, ସମସ୍ତ ସରକାରୀ ଅଙ୍କୁଶ ସତ୍ତ୍ବେ, ନିଜକୁ ବଞ୍ଚେଇକି ସମାଜ ପ୍ରତି ନିଜର ଯୋଗଦାନ ଦେଇପାରିବ। ଶାସକ ଦଳର ପ୍ରତିହିଂସାପରାୟଣ ରାଜନୀତିକୁ ଏଡ଼ାଇଯାଇ ତିଷ୍ଠିବା ଗଣମାଧ୍ୟମ ପାଇଁ କଷ୍ଟ ହୋଇପାରେ, କିନ୍ତୁ ଅସମ୍ଭବ ନୁହେଁ।

ପିସିସି ସଭାପତି ଆଉ ମଧ୍ୟ କହିଛନ୍ତି ରାଜନୀତିର କର୍ପୋରେଟାଇଜ୍‌କରଣ ପାଇଁ ଆମେ ମଧ୍ୟ ରାଜନୀତି ଯେଭଳି ଢଙ୍ଗରେ କରିବା କଥା, କରିପାରୁନୁ। ତେବେ ଆଗକୁ ଆମ ନୂଆ ଭିତ୍ତିଭୂମି ଆମକୁ ବାଟ କଢ଼ାଇବ। ଗତ ୨ ମାସ କାଳ ଆମେ ତୃଣମୂଳ ସ୍ତରରେ ଆମ ଭିତ୍ତିଭୂମି ଓ ସଂଗଠନ ସଜାଡ଼ିବା କାମରେ ଲାଗିଛୁ। ତେଣୁ କାର୍ଯ୍ୟକ୍ରମ କିଛିଟା କମିଛି। ଆଉ ପ୍ରାୟ ମାସେ ମଧ୍ୟରେ ଆମେ ସମସ୍ତ ୬,୭୯୪ ପଂଚାୟତ, ୩୧୪ ବ୍ଲକ୍, ୧୪୫ ପୌରାଂଚଳ, ୮୫୩ ଜିଲ୍ଲା ପରିଷଦ ଜୋନ୍ ତଥା ୪୫,୨୫୫ ମତଦାନ କେନ୍ଦ୍ର ପାଇଁ ଆମ ପ୍ରତିନିଧି ବାଛିବା କାମ ଶେଷ କରିବୁ। ଗାନ୍ଧୀ-ଗୋପବନ୍ଧୁଙ୍କ ବିଚାରଧାରାକୁ ପାଥେୟ କରି ଆମେ ଆଗକୁ ମାଡ଼ିଚାଲିବୁ।

ଏବେର ସରକାର ହିଂସା ସ୍ଥାପନ କରୁଛନ୍ତି। ବିଧାୟକମାନେ ଖୋଲାଖୋଲି ହିଂସାର କଥା କହୁଛନ୍ତି। ପୁଲିସକୁ ପୂର୍ବରୁ କୌଣସି ସରକାର ଏପରି ଖୁଲ୍ଲମଖୁଲ୍ଲା ବ୍ୟବହାର କରି ନ ଥିଲେ। ରାଜ୍ୟର ସବୁ ପ୍ରାକୃତିକ ବିଭବକୁ ପୁଂଜିପତିଙ୍କ ହାତରେ ଟେକିଦେବା ପାଇଁ ମୋଦୀ ନିଜ ପସନ୍ଦର ଜଣେ ନିର୍ମାୟା ଲୋକକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି। ଅନୁଗୁଳରେ ୩୪ଟି କୋଇଲା ଖଣି ଦେଇଦେଲେ। ଏବେ କୋରାପୁଟ-ରାୟଗଡ଼ାରେ ୧୨ଟା ଖଣି ଆଦାନୀଙ୍କ ହାତକୁ ଯିବ। ଖଣି ଉତ୍ତୋଳନ ଅନୁମତି ଦେଇଦେଲେ ବିକାଶ ହୁଏନାହିଁ। ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ଲୋଡ଼ା। ହଜାରହଜାର ବର୍ଷର ସମ୍ପଦକୁ ଆମେ ମାତ୍ର ୨ ବର୍ଷରେ ଲୁଟେରାଙ୍କୁ ବାଣ୍ଟିଦେବା? ପ୍ରକୃତି ବିରୋଧରେ ହିଂସା ଦୃଶ୍ୟମାନ ହୁଏନାହିଁ, କିନ୍ତୁ ଏହା ମାନବସଭ୍ୟତାକୁ ଧୀରେଧୀରେ ଧ୍ବଂସମୁହଁକୁ ଠେଲିଦିଏ ବୋଲି କହିଛନ୍ତି ପିସିସି ସଭାପତି।

ସେ କହିଛନ୍ତି କ୍ରିୟାଶୀଳତା ଯୋଗୁଁ ୨୦୨୪ ନିର୍ବାଚନ ଅପେକ୍ଷା ଏବେ ଓଡ଼ିଶାର କଂଗ୍ରେସ ଦଳକୁ ୨/୩ ଗୁଣ ଅଧିକ ରେସ୍‌ପନ୍ସ ମିଳୁଛି। ପାଖାପାଖି ୫୦ ନିର୍ବାଚନମଣ୍ଡଳୀରେ ଆଗକୁ ବଡ଼ ମିଶ୍ରଣପର୍ବ ମାନ ଅନୁଷ୍ଠିତ ହେବ। କଂଗ୍ରେସ ବଢ଼ିବ। ଆସନ୍ତା ୧୦ ଜୁନ୍ ସମ୍ବଲପୁରଠାରେ କହ୍ନେୟା କୁମାର ପ୍ରମୁଖଙ୍କ ଉପସ୍ଥିତିରେ ଏକ ବିଶାଳ ଯୁବ-ଛାତ୍ର ସମାବେଶ ଆୟୋଜିତ ହେବ।

ପିସିସି ସାମାଜିକ ଗଣମାଧ୍ୟମ ମୁଖ୍ୟ ବିଶ୍ବଜିତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ‘ମିଟ୍-ଦି-ପ୍ରେସ୍’ କାର୍ଯ୍ୟକ୍ରମରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାଶ, ଉପସଭାପତି (ସଂଗଠନ) ସନ୍ତୋଷ ସିଂହ ସାଲୁଜା, ପିସିସି ଗବେଷଣା ବିଭାଗ ମୁଖ୍ୟ ଡ.ନଳିନୀ ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ଦାସ, ‘ଧରିତ୍ରୀ’ର ବ୍ୟୁରୋ ମୁଖ୍ୟ ରବିନାରାୟଣ ଜେନା, ‘ଓଡ଼ିଶା ପୋଷ୍ଟ’ର ପ୍ରତିନିଧି ଅରିନ୍ଦମ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *