ଜଗନ୍ନାଥଙ୍କ ଭଜନ ଗାଉ ଗାଉ ସଭାମଞ୍ଚରେ ଟଳି ପଡିଥିଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ। ଗତକାଲି ରାତିରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସ୍ ନିକଟରେ। ଏହି ଅବସରରେ ଚାଲିଥିବା ସଭାରେ ସ୍ବର୍ଗତ ଦାସ ଜଗନ୍ନାଥ ଜଣାଣ ‘ଭକତ ବିଦୁର ଶାଗ ଭଜା ନେଇ’ ଗୀତ ଗାଉଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି।

ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ନିଷ୍ଠାପର, ଦାୟିତ୍ଵ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ ପାଇଁ ସର୍ବଦା କର୍ମରତ ଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁମହଲ ରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *