ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଷାଢ଼ ମାସ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହଣ ମହଣ ମୋତି, ମାଣିକ୍ୟ, ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଆଜି ରଥରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ସୁନାବେଶ ଲାଗି ଆରମ୍ଭ ହୋଇଥିଲା । ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାର ଅଣାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସଜ୍ଜିତ କରାଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ଅଧରପଣା ନୀତି ଓ 27 ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । Post navigation Naveen Praises Gen Z: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ନବୀନ ପଟ୍ଟନାୟକଙ୍କ ପ୍ରଶଂସା