ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ବୃଦ୍ଧିକୁ ଅଣଦେଖା କରୁଥିବା ଦାବି କରି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଅନଶନ କରାଯାଇଥିଲା । ପ୍ରଦେଶ ମହିଳା କଂଗ୍ରେସ ନେତ୍ରୀ, ମହିଳା କଂଗ୍ରେସ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ କର୍ମୀଙ୍କୁ ମିଶାଇ ୨୦୦୦ ରୁ ଉର୍ଦ୍ଧ୍ୱ ମହିଳା ଆଜି ଏହି ଅନଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, ରାଜ୍ୟର ନାରୀଙ୍କ ପ୍ରତି ଅତ୍ୟାଚାର ସୀମା ଲଙ୍ଘନ କରି ଯାଇଛି, ଯାହା ତ ନାରୀଙ୍କ ଉପରେ ଅତ୍ୟାଚାର ହେଉଛି ଆଜି ନାରୀଙ୍କୁ ସର୍ବସମ୍ମୁଖରେ ଵିଵସ୍ତ୍ର କରି ଦିଆଯାଇଛି, ରାୟଗଡା କଲ୍ୟାଣସିଂପୁର କାନ୍ଦୁଲଗୁଡା ଗ୍ରାମରେ ଯେଉଁ ଘଟଣା ଘଟିଛି ତାହା ଦେଖିଲେ ନିଜ ମଣିଷପଣିଆକୁ ଧିକ୍କାର ଆସୁଛି । ସରକାରଙ୍କୁ କେଉଁ ଭାଷାରେ ସମାଲୋଚନା କରିବି ଚିନ୍ତା କରି ହେଉନି । ନିଜକୁ ଓଡିଶାବାସୀ ବୋଲି ଛାତି ଫୁଲାଇ ଗର୍ବରେ କହୁଥିଲୁ ଆଜି ଏଇ ସରକାରର ନିର୍ଲଜତା ପାଇଁ ମୁହଁ ଲୁଚାଇବାକୁ ପଡୁଛି । ସରକାର ଯଦି ବିରୋଧୀଙ୍କ କଥା ଶୁଣି ନାରୀ ସୁରକ୍ଷା ପାଇଁ ହାଉସ କମିଟି ଗଠନ କରିଥାନ୍ତେ ତେବେ ଆଜି ନାରୀଙ୍କୁ ଏତେ ଅତ୍ୟାଚାରିତ ଓ ଅସମ୍ମାନିତ ହେବାକୁ ପଡି ନ ଥାନ୍ତା । ଉଭୟ ମୋଦି ଓ ମୋହନ ସରକାର ନାରୀ ଜାତିକୁ ଅପମାନିତ ଓ ଲାଂଛିତ କରୁଛନ୍ତି । ଡବଲ ଇଞ୍ଜିନ ସରକାରର ନାରୀ ଜାତି ପ୍ରତି ସମ୍ମାନ ଓ ଶ୍ରଦ୍ଧା ନାହିଁ । ନାରୀଙ୍କୁ ସୁରକ୍ଷା ଓ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଏବେ ଓଡ଼ିଶାରେ ମହିଳାମାନଙ୍କ ପ୍ରତାରିତ କରାଯାଉଛି । ମୋଦି ଓଡ଼ିଶା ଆସୁଛନ୍ତି ଯାଉଛନ୍ତି କିନ୍ତୁ ଓଡ଼ିଶାର ମହିଳାଙ୍କ ଦୁଃଖ, ଦୁର୍ଦ୍ଦଶା ଓ ଦୟନୀୟ ପରିସ୍ଥିତିକୁ ବୁଝିବାକୁ ମୋଦିଙ୍କ ପାଖରେ ସମୟ ନାହିଁ । ମହିଳା କଂଗ୍ରେସ ମୋଦିଙ୍କର ଗସ୍ତକୁ ନେଇ ଆଜି ଯେଉଁ ଅନଶନ କରିଛନ୍ତି ତାହାର ବାର୍ତ୍ତା ଓଡ଼ିଶାର ଘରେ ଘରେ ପହଞ୍ଚିବା ଦରକାର । ଉଭୟ ମୋଦି ସରକାର ଓ ମୋହନ ସରକାର ମହିଳା ବିରୋଧି । ଓଡ଼ିଶାରେ ନାରୀ ଜାଗରଣ ହେବା ସହ ବ୍ୟାପକ ଜନ ଆନ୍ଦୋଳନ ହେବାର ସମୟ ଆସିଛି । ସୁଭଦ୍ରା ଯୋଜନାରେ ଦିନକୁ ୨୭ ଟଙ୍କା ଦେଇ ଓଡ଼ିଶାର ମହିଳାମାନଙ୍କର ମୁହଁ ଡବଲ ଇଞ୍ଜିନ ସରକାର ବନ୍ଦ କରିଦେଇଛି । ଏବେ ଦିନକୁ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ମୋହନ ସରକାରଙ୍କ ଗୃହ ବିଭାଗ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଛନ୍ତି । ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହା ବିଦ୍ୟାଳୟର ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାପାଇଁ ଏବିଭିପି ସଂଗଠନ ବାଧ୍ୟ କରିବା ଘଟଣା ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ାର ସରପଞ୍ଚ ଚାମେଲି ଓଝାଙ୍କୁ ଯେଉଁଭଳି ଭାବରେ ଶାସକ ଦଳର ନେତା ଓ ପ୍ରଶାସନ ହଇରାଣ ହରକତ କଲେ ଏବଂ ତାଙ୍କୁ ବରବାଦ କରିବାପାଇଁ ଷଡଯନ୍ତ୍ର କରିଥିଲେ ଏଥିରେ ମହିଳାମାନଙ୍କ ପ୍ରତି ଡବଲଇଞ୍ଜିନ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ହୋଇପଡ଼ୁଛି । ଓଡ଼ିଶାରେ ୬୦ ହଜାର ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି । ପ୍ରତିଦିନ ଗଣମାଧ୍ୟମରେ ମହିଳା ଅତ୍ୟାଚାର ଓ ଦୁଷ୍କର୍ମ କଥା ଦୃଶ୍ୟମାନ ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡବଲ ଇଞ୍ଜିନ ସରକାର ଚିନ୍ତିତ ନୁହଁନ୍ତି । କଂଗ୍ରେସ ବିଧାୟକମାନେ ମହିଳାମାନଙ୍କ ପ୍ରତି ହେଉଥିବା ଅବିଚାର, ଅତ୍ୟାଚାର ଓ ଦୁଷ୍କର୍ମ ପ୍ରସଙ୍ଗରେ ଏକ ହାଉସ୍ କମିଟି ଦାବୀ କରୁଥିବାବେଳେ କଂଗ୍ରେସ ବିଧାୟକମାନଙ୍କୁ ମୋହନ ସରକାର ଓ ବିଜେପି ଦଳର ବିଧାୟକମାନେ ଯେଉଁଭଳି ଭାବରେ ବିଧାନସଭା ଗୃହରେ ଅଗଣତାନ୍ତିକ ଭାବେ ଆଚରଣ କଲେ ଏବଂ ଶାରିରୀକ ଆକ୍ରମଣ କଲେ ସେଥିରେ ଏ ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ ହୋଇପଡୁଛି । କଂଗ୍ରେସ ପକ୍ଷରୁ ନାରୀ ନ୍ୟାୟ ପ୍ରସଙ୍ଗରେ ବିଧାନସଭା ଘେରାଉ କରାଯାଇଥିଲା । ଅଗଣତାନ୍ତ୍ରିକ ଭାବେ ଆକ୍ରୋଶ ମନୋଭାବ ରଖି ମୋହନ ସରକାର ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ କେସ ରୁଜୁ କରିବା ସହ ବହୁ କଂଗ୍ରେସ କର୍ମୀଙ୍କୁ ପୁଲିସ ଲାଠି ମାଡ, ପାଣି ମାଡ ଏବଂ ରବର ବୁଲେଟ ମାଡ କରି ଲହୁ ଲୁହାଣ କରିଥିଲେ । କଂଗ୍ରେସ ଦଳ ମହିଳାମାନଙ୍କର ଅଧିକାର ଓ ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିଛି । ସୁତରାଂ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଡେରା ପକାଇ ରହିଥିଲେ ମଧ୍ୟ ମହିଳାମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବେ ନାହିଁ ତାଙ୍କର ଓଡ଼ିଶାର ମହିଳାମାନଙ୍କ ସମସ୍ୟା ପ୍ରତି ଉଦାସୀନତାରୁ ସ୍ପଷ୍ଟ ହୋଇପଡୁଛି । ମହିଳାଙ୍କୁ ସାଧାରଣରେ ନିର୍ବସ୍ତ୍ର କରିବା ବି ବିଜେପି ଶାସନର ଉପଲବ୍ଧି ବୋଲି ଦାସ ପ୍ରକାଶ କରିଛନ୍ତି । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଆହ୍ୱାନ ଦେଇଥିଲେ ଯେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମହିଳା କଂଗ୍ରେସ କର୍ମୀ ଅତ୍ୟାଚାରିତା ମହିଳାମାନଙ୍କ ଲଢ଼େଇରେ ସାମିଲ ହୁଅନ୍ତୁ । ରାୟଗଡାରେ ମହିଳାମାନଙ୍କୁ ଅସଦାଚରଣ, ଗୋପାଳପୁର ସମୁଦ୍ର କୁଳରେ ମହିଳାଙ୍କୁ ଗଣଦୁଷ୍କମ, ଭାପୁର ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ, କେନ୍ଦୁଝରର ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା, ବ୍ରହ୍ମଗିରିରେ ନାବାଳିକାକୁ ଦୁଷ୍କର୍ମ, ଚାନ୍ଦବାଲିରେ ନାବାଳିକାକୁ ଦୁଷ୍ମର୍ମ ଓ ହତ୍ୟା ପ୍ରଭୃତି ଲୋମ ଟାଙ୍କୁରା ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ମୋହନ ସରକାର ସଂପୁର୍ଣ୍ଣ ନିଷ୍କ୍ରିୟ ହୋଇବସିଛନ୍ତି । ଆଜି ପ୍ରଦେଶ ମହିଳା କଂଗ୍ରେସର ନେତ୍ରୀ ଓ କର୍ମୀମାନେ ମହିଳା ସ୍ୱାର୍ଥ ବିରୋଧି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଧାରଣା ଦେଇଛନ୍ତି । ଧାରଣା ଶେଷରେ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ରାଲି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତ୍ରୀ, ପ୍ରଦେଶ ମହିଳା କଂଗ୍ରେସ କର୍ମକର୍ତ୍ତା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଓ ମହିଳା କଂଗ୍ରେସର କର୍ମୀମାନେ ଅଂଶ ଗ୍ରହଣ କରିଥିଲେ । Post navigation Govt must be accountable for Women’s Safety: ନାରୀ ସୁରକ୍ଷା ଉପରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: ବିଜେଡି PM Modi releases PM-Kisan instalment of Rs 18,880 crore to 9.44 crore Farmers