ଭୁବନେଶ୍ୱରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ ହଟିବ ସୁରକ୍ଷା ବ୍ୟାରିକେଡ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସହିତ ଜଡିତ ସାର୍ବଜନୀନ ରାସ୍ତା ଜବରଦଖଲ ଅଭିଯୋଗର ସମାଧାନରେ ବିଳମ୍ବ ନେଇ ଓଡ଼ିଶା ହାଇକୋର୍ଟ ତୀବ୍ର ଚିନ୍ତା ପ୍ରକାଶ କରିବା ପରେ ଓଡ଼ିଶା ସରକାର ପୁରୁଣା ବିମାନବନ୍ଦର ରୋଡ୍ ସ୍ଥିତ ନବୀନ ନିବାସ ନିକଟରେ ସୁରକ୍ଷା ବ୍ୟାରିକେଡିଂର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ କରିଛନ୍ତି। ଏହି ବ୍ୟାରିକେଡ୍ ଯୋଗୁଁ ସାଧାରଣ ଜନତାଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ନେଇ ଓଡ଼ିଶା ହାଇକୋର୍ଟରେ ଏକ ମାମଲା (W.P.(C) No. 19748/2023) ରୁଜୁ ହୋଇଥିଲା । ଏହି ପ୍ରସଙ୍ଗ ଉଭା ହୋଇଛି, ଯେଉଁଠାରେ ଆବେଦନକାରୀ ପ୍ରକାଶ ଚନ୍ଦ୍ର ଦାସ ଏହି ଅଞ୍ଚଳର ଏକ ସାର୍ବଜନୀନ ରାସ୍ତାକୁ ବାଧା ଦେଉଥିବା ଅଭିଯୋଗରେ ନିର୍ମାଣକୁ ହଟାଇବା ପାଇଁ ଦାବି କରିଥିଲେ। ମାମଲାରେ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ବହୁ ସରକାରୀ ବିଭାଗ ନାମିତ ହୋଇଛି। ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାସ୍ତା ଅବରୋଧ ମୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଏକ ମିଳିତ କ୍ଷେତ୍ର ଯାଞ୍ଚ କରିବାକୁ ଏବଂ କୌଣସି ସାର୍ବଜନୀନ ଜମି କିମ୍ବା ରାସ୍ତା ଦଖଲ କରାଯାଇଛି କି ନାହିଁ ତାହା ନିର୍ଣ୍ଣୟ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅନିୟମିତତା ପ୍ରମାଣିତ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆହୁରି ବିଳମ୍ବ କରିବା ବିରୁଦ୍ଧରେ କୋର୍ଟ ଅଧିକାରୀମାନଙ୍କୁ ସତର୍କ କରାଇଥିବା ଜଣାପଡ଼ିଛି। ଏକ ମିଳିତ ଟିମ୍ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡିଛି ଯେ, ନବୀନ ନିବାସ ସାମ୍ନାରେ ଥିବା ପ୍ଲଟ୍ ନମ୍ବର ୧୦୨୧ର ପ୍ରାୟ ୦.୨୨୮ ଏକର ଜମିକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ବ୍ୟାରିକେଡ୍ ଦ୍ୱାରା ଘେରାଯାଇଛି। ସେହିପରି ପ୍ଲଟ୍ ନମ୍ବର ୧୦୩୫ର ଆଉ ୦.୩୩୦ ଏକର ଜମି ମଧ୍ୟ ଏହି ବ୍ୟାରିକେଡ୍ ଭିତରେ ରହିଛି। ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ଛକରୁ ପୁନାମା ଗେଟ୍ ପର୍ଯ୍ୟନ୍ତ ଏକ ୧୦୦ ଫୁଟ୍ ଚଉଡ଼ାର ବିକଳ୍ପ ରାସ୍ତା ନିର୍ମାଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସାଧାରଣ ପ୍ରଶାସନ ବିଭାଗ (GA&PG) ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଥିଲା । ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି। ବର୍ତ୍ତମାନ ପୂର୍ତ୍ତ ବିଭାଗ ଗୃହ ବିଭାଗ ଜରିଆରେ କମିଶନରେଟ୍ ପୋଲିସ ଓ ଟ୍ରାଫିକ ଡିସିପିଙ୍କ ମତାମତ ଲୋଡିଛନ୍ତି । ସୁରକ୍ଷା ବ୍ୟାରିକେଡ୍ ସମ୍ପୂର୍ଣ୍ଣ ହଟାଯିବ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଓ ଅନ୍ୟ କୌଣସି ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି। । ଏହି ମାମଲାରେ ମୁଖ୍ୟ ସଚିବ, GA&PG ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମସି କମିଶନରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା। ଗତ ଫେବୃଆରୀ ୩ ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସରକାରୀ ଅଧିକାରୀମାନଙ୍କ ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ଗତ କେତେକ ମାସ ଧରି କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ତିନି ସପ୍ତାହ ମଧ୍ୟରେ ଫିଲ୍ଡ ଭେରିଫିକେସନ୍ କରି ଯଦି ଅନଧିକୃତ ଅତିକ୍ରମଣ ଥିବା ଜଣାପଡ଼େ, ତେବେ ତାହା ହଟାଇବାକୁ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। Post navigation Krishna Swaminathan Appointed Next Indian Navy Chief: ଭାଇସ୍ ଆଡମିରାଲ୍ କ୍ରିଷ୍ଣା ସ୍ବାମୀନାଥନ ପରବର୍ତ୍ତୀ ନୌସେନା ମୁଖ୍ୟ West Bengal CM Oath Ceremony: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ