ସରକାରୀ ଯୋଜନାରେ ହେବ ବଡ ପରିବର୍ତ୍ତନ। ଅକାମୀ ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୩ ରୁ ୪ ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା ଯୋଜନା ହେବ ବନ୍ଦ। କେବଳ ନାମମାତ୍ର ବରାଦ ହୋଇଥିବା ଯୋଜନା ଗୁଡିକ ବନ୍ଦ କରାଯିବ। କେନ୍ଦ୍ରୀୟ ଯୋଜନାରେ କିପରି ହିତାଧିକାରୀ ଉପକୃତ ହେବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ।

ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଲକ୍ଷ୍ୟରେ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଛି। ସରକାର ସମସ୍ତ ରାଜ୍ୟ ପରବର୍ତ୍ତୀ ଯୋଜନା (State Sector Schemes) ଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା ବର୍ଗରେ ବିଭକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମାନ ଧରଣର ଏକାଧିକ ଯୋଜନାକୁ ଏକାଠି କରି ଏକ ‘ଅଧୀନକୁ ଅଣାଯିବ।

ଆୟୁଷ୍ମାନ ଭାରତ, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଭଳି କେନ୍ଦ୍ରୀୟ ଯୋଜନାରେ ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିରେ ଯଦି କିଛି ଅଭାବ ରହେ, ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସହାୟତା ଯୋଗାଇ ଦେବେ। ଯୋଜନାଗୁଡ଼ିକର ସଠିକ୍ ତଦାରଖ ପାଇଁ ପ୍ରତି ବଡ଼ ଯୋଜନାର କିଛି ଅଂଶ ଗବେଷଣା, ମୂଲ୍ୟାଙ୍କନ ଓ ମନିଟରିଂ ପାଇଁ ଖର୍ଚ୍ଚ କରାଯିବ।

ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ ‘ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ’ (REM) ବାବଦରେ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ଏହି ସମୀକ୍ଷା ପ୍ରକ୍ରିୟା ଶେଷ କରି ଆଗାମୀ ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ତାଲିକା ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ବଜେଟ୍ ଅର୍ଥର ଅପଚୟ ରୋକାଯାଇପାରିବ ଏବଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *