odisha-cm-inaugurates-visa-application-centre-in-BBSR

ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ସ୍ଥିତ ବରମୁଣ୍ଡାରେ ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ରାଜ୍ୟରେ ସାର୍ବଜନୀନ ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଦିନ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ (BSABT) ଠାରେ ଏକ ନୂତନ ଭିସା ଆବେଦନ କେନ୍ଦ୍ରର ଉଦଘାଟନ କରିଛନ୍ତି ।

ଏହି ସୁବିଧା ଆରମ୍ଭ ହେବା ସହିତ, ଓଡ଼ିଶାର ବାସିନ୍ଦାମାନଙ୍କୁ ଭିସା ସମ୍ବନ୍ଧୀୟ ସେବା ପାଇବା ପାଇଁ ଆଉ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ମେଟ୍ରୋ ସହରକୁ ଯିବାକୁ ପଡିବ ନାହିଁ । ଏହି ପଦକ୍ଷେପକୁ ଓଡ଼ିଶାର ଲୋକଙ୍କ ପାଇଁ ଭିସା ପ୍ରକ୍ରିୟାକରଣରେ ସୁଗମତା ଏବଂ ସୁବିଧା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହାଦ୍ବାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ । ଏହି କେନ୍ଦ୍ର ସ୍ଥାପିତ ହେବାଦ୍ବାରା ସମଗ୍ର ବିଶ୍ବ ସହିତ ଓଡିଶାର କନେକ୍ଟିଭିଟି ବୃଦ୍ଧିହେବ। ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରୀକ ସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ । ସେ କହିଥିଲେ ଯେ, ଏପରି ପଦକ୍ଷେପ ଓଡିଶାର ଯୁବବର୍ଗଙ୍କ ବିଦେଶ ଯାତ୍ରାକୁ ସହଜ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ ।

ସେ ଆଉ ମଧ୍ୟ କହିଛନ୍ତି, ରାଜ୍ୟରେ ଶିଳ୍ପାୟନ ଓ ଅର୍ଥନୈତିକ କାର୍ଯ୍ୟକ୍ରମର ଅଭିବୃଦ୍ଧି ଯୋଗୁଁ ଓଡିଶାରେ ଏକ Visa Application Centreର ଆବଶ୍ୟକତା ଥିଲା । ସ୍ଥାନୀୟ ଯୁବ ପ୍ରଫେସନାଲଙ୍କ ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ। ପୂର୍ବରୁ ସେମାନେ ଭିସା ଆବେଦନ ପାଇଁ କୋଲକାତା ଓ ହାଇଦ୍ରାବାଦକୁ ଯିବାକୁ ପଡୁଥିଲା । ଏବେ ସେମାନେ ସହଜରେ ଓ ସୁବିଧାରେ ଭିସା ପାଇପାରିବେ ।

Leave a Reply

Your email address will not be published. Required fields are marked *