ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି । ରାଜ୍ୟ ସରକାର ପୁରୀ ପୌରପାଳିକା ବୃହତ୍ତର ସହରାଞ୍ଚଳକୁ ମାଳତିପାଟପୁର ବସ୍ ଷ୍ଟାଣ୍ଡ (ଉତ୍ତର), ବେଲାଡେଲା, ଉରା ଏବଂ ଦୁହିତାଖଣ୍ଡ (ପୂର୍ବ), ବଙ୍ଗୋପସାଗର (ଦକ୍ଷିଣ) ଏବଂ ଗୋରୁଆଲ (ପଶ୍ଚିମ) ରେ ସୀମା ସହିତ ନିର୍ଦ୍ଦିଷ୍ଟ କରି ଏକ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି।

ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ସହର ମହାନଗର ହେବ ବୋଲି ଘୋଷଣା କରିଥିଲେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ପରେ ଓଡ଼ିଶାର ଷଷ୍ଠ ମହାନଗର ନିଗମ ହୋଇଛି ପୁରୀ । ନୂତନ ମହାନଗର ନିଗମରେ ପୁରୀ ସହର ସମେତ ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ପ୍ରାୟ ୭ ରୁ ୮ଟି ଗ୍ରାମ ପଞ୍ଚାୟତ ଏବଂ ୩୪ଟି ଗାଁକୁ ସାମିଲ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ପୁରୀରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୧,୦୦୦ କୋଟିର ବ୍ୟୟବରାଦ କରିଥିଲେ ।

ପୁରୀ ସହରରେ ଜନସଂଖ୍ୟା ୨୦୨୧ ଜନଗଣନା ଅନୁଯାୟୀ ଅଢ଼େଇ ଲକ୍ଷ ଥିବାବେଳେ ଏବେ ଏହା ଯଥେଷ୍ଟ ବୃଦ୍ଧି ପାଇଥିବ ବୋଲି ଅନୁମାନ କରାଯାଉଛି । ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ବିଭିନ୍ନ ପର୍ବପର୍ବାଣି ଏବଂ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି।

Leave a Reply

Your email address will not be published. Required fields are marked *