ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ନିଜ ପରିବାର ସହ ଆସି ଆଜି ଅପରାହ୍ନରେ ପୁରୀ ତାଳବଣିଆ ହେଲିପ୍ୟାଡ୍ ରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି, ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ ମହାନ୍ତି,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ ପ୍ରମୁଖ ସ୍ଵାଗତ କରିଛନ୍ତି ।

ଆଜି ପୁରୀରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ତାଳବଣିଆ ହେଲିପ୍ୟାଡ୍ ରୁ ତାଙ୍କ କାରକେଡ ଚକ୍ରତୀର୍ଥ ରୋଡ ଦେଇ ଲୋକଭବନ ଅଭିମୁଖେ ବାହାରିଛି। ଆଜି ରାତିରେ ଲୋକଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ।

କାଲି ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ସ୍ଵାଗତ କରିବାର ରହିଛି। ଏହାପରେ ରାଷ୍ଟ୍ରପତି ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରି ଯିବାର କାର୍ଯ୍ୟସୂଚୀ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ପୁରୀ ସହରର ୧୦ କିମି ପରିସୀମା ଅଞ୍ଚଳକୁ ନୋ-ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *