Joranda Magha Mela Begins Today With Religious Fervour
ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ ଏହି ମେଳା ଆୟୋଜନ ହେଉଛି । ମହିମା ଧର୍ମର ଉତ୍ପତ୍ତି ସ୍ଥଳ ହେଉଛି ଯୋରନ୍ଦା ମହିମାଗାଦି । ଚଳିତବର୍ଷ ମାଘମେଳା ୧୫୩ ବର୍ଷରେ ପହଞ୍ଚିଛି ।
 
ମହିମା ସାଧୁମାନେ ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଝାଡ଼ ଦୀପ ଜାଳିବେ । ଏହି ମେଳା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ମହିମା ସାଧୁଙ୍କ ଯୋରନ୍ଦା ମହିମାଗାଦିରେ ସମାବେଶ ହେବ । ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ସ୍ଥିତ ମହିମାଗାଦି । ମହିମା ସାଧୁମାନେ ପ୍ରତିବର୍ଷ ଏଠାକୁ ଆସିଥାନ୍ତି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପୂର୍ବବର୍ଷ ଅପେକ୍ଷା ଜନସମାଗମ ଯଥେଷ୍ଟ ଅଧିକ ହେବାର ସମ୍ଭାବନା ରହିଛି ।
 
ଅଧିକ ଜନ ସମାଗମ ସମ୍ଭାବନାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ସହିତ ସ୍ୱତନ୍ତ୍ର ବ୍ୟାରିକେଟ୍ସି ଓ ସିଟିଭି ବ୍ୟବସ୍ଥା କରାଯାଇଛି ।
 
ମେଳା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ ସମସ୍ତ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋରନ୍ଦା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
 
ପୂର୍ବରୁ, ଢେଙ୍କାନାଳ ଯୋରନ୍ଦାର ପ୍ରସିଦ୍ଧ ମହିମା ଧର୍ମ ପୀଠର ପ୍ରମୁଖ ସାଧୁସନ୍ୟାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରି ଆଗାମୀ ବିଶ୍ୱପ୍ରସିଦ୍ଧ ମାଘ ମେଳାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *