ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିମିଳିପାଳ । ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଦୁଇ ଦିନ ବନ୍ଦ ରହିବ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ଶିମିଳିପାଳ ଅଭୟାରଣ୍ୟରେ କଟକଣା ଜାରି କରାଯାଇଛି । ରାଷ୍ଟ୍ରପତି ଆସିବାକୁ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । କାଳିକାପ୍ରସାଦ ଗେଟ୍‌ ଓ ଗୁଡ଼ଗୁଡ଼ିଆ ଜୋନ୍‌ ୪ ତାରିଖରୁ ୬ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁଡଗୁଡ଼ିଆ ସଫାରୀ ୫ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ । ଏ ନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ; ରାଷ୍ଟ୍ରପତି ଫେବ୍ରୁଆରୀ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଯାଜପୁର, ବାଲେଶ୍ୱର, ପୁରୀ ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିବେ । ରାଷ୍ଟ୍ରପତି ୨ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚି ସେଦିନ ଲୋକ ଭବନରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ପରେ ରାତ୍ର ରହଣି କରିବେ । ପରଦିନ ୩ ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟା ଠାରେ ପୂଜାର୍ଚ୍ଚନା କରିବେ । ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକୀରମୋହନ ବିଶ୍ୱ ବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଦିନ ସଂଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଶ୍ରୀ ଜୀଉମାନଙ୍କ ଦର୍ଶନ, ଆଳତୀ ଏବଂ ପିଣ୍ଡଦାନ କରିବେ ।

ସେହିପରି ୪ ତାରିଖ ସକାଳେ ମୟୂରଭଂଜ ଜିଲ୍ଲା ଗସ୍ତ କରି ରାଇରଙ୍ଗପୁର ମହୁଲଡିହା ସ୍ଥିତ ଅବକାଶ ଗୃହ ( ହୋଲି ଡେ ହୋମ) ଉଦଘାଟନ କରିବା ସହ ସେଠାରେ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଭଂଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ । ପରେ ପରେ ପରେ ବୈଦପୁର ଠାରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ଉଦଘାଟନ କରିବେ । ୪ ତାରିଖ ଅପରାହ୍ମରେ ମାନ୍ୟବର ରାଇରଙ୍ଗପୁରଠାରେ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୫ ତାରିଖ ସକାଳେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରଠାରେ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ସିମିଳିପାଳ ଗସ୍ତ କରିବେ । ୬ ତାରିଖ ସକାଳେ ସେଠାରେ ମହିଳା ଏବଂ ଆଦିବାସୀ ଗୋଷ୍ଠୀର ଯୁବବର୍ଗଙ୍କ ସହିତ ବାର୍ତ୍ତା ବିନିମୟ କରିବେ ।

ଏହାପରେ ଅପରାହ୍ଣରେ ଭୁବନେଶ୍ୱରରେ ପହଁଚି ଓଡ଼ିଶା ସରକାର ଏବଂ ଗ୍ଲୋବାଲ ଫିନାନ୍ସ ଟେକ୍ନୋଲୋଜି ନେଟଓ୍ୱର୍କର ମିଳିତ ଆୟୋଜନରେ ଅନୁଷ୍ଠିତ “ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ” କାର୍ଯ୍ୟକ୍ରମରେ ଯୋଗଦେବେ । ମାନ୍ୟବର ରାଷ୍ଟ୍ରପତି ୭ ତାରିଖ ସକାଳୁ ଭୁବନେଶ୍ୱର ବିମାନ ବନ୍ଦରରୁ ଛତିଶଗଡ଼ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *