ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୨ଜଣ ଦଳୀୟ ବିଧାୟକ ପାଟକୁରାର ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ସନାତନ ମହାକୁଡ଼ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ନବୀନଙ୍କ ଏହି ନିଷ୍ପତ୍ତି ବିଜୁ ଜନତା ଦଳକୁ ‘ଖତମ୍’ ହେବା ପାଇଁ ଆଉ ଦୁଇପାଦ ଆଗକୁ ନେଇଛି ବୋଲି ମନେକରାଯାଏ ।

ସନାତନ ମହାକୁଡ଼ ଜଣେ ସମ୍ପୂର୍ଣ୍ଣ ବେପାରୀ । ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଉଠାବସା କରୁଛନ୍ତି, ଜୋରଦାର ପ୍ରଶଂସା ମଧ୍ୟ କରୁଛନ୍ତି ତାଙ୍କ କାର୍ଯ୍ୟକୁ ନେଇ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସମୟରେ ସେ ନିଜେ ଗେରୁଆ ଧାରଣ କରିଥିଲେ । ଖୋଲାଖୋଲି ସନାତନ ନବୀନଙ୍କୁ ସମାଲୋଚନା ମଧ୍ୟ କରିଆସୁଛନ୍ତି । ବିଜୁ ଜନତା ଦଳ ସରକାର ସମୟରେ ତାଙ୍କ ଜିଲା ପାଇଁ ନବୀନ କିଛି କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି । ତେଣୁ ତାଙ୍କୁ ଦଳ ନିଲମ୍ବନ କରିବାରୁ କେହି ଆଶ୍ଚର୍ଯ୍ୟ ନୁହଁନ୍ତି ।

କିନ୍ତୁ ସମସ୍ତେ ଆଶ୍ଚର୍ଯ୍ୟ ଯୁବ ବିଧାୟକ ଅରବିନ୍ଦଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ । ବୋଧହୁଏ ଗତ ବିଧାନସଭାରେ ଭାଜପା ସରକାରକୁ ଭଲଭାବେ ଧୋଇବା କାରଣରୁ ତାଙ୍କୁ ଏହି ‘ପୁରସ୍କାର’ ଦେଲେ ନବୀନ । ସେ ବିଧାନସଭାରେ ଖୋଲାଖୋଲି କହିଥିଲେ ଯଦି ଶାସନ ଦଳ ବାରମ୍ବାର ପାନ୍ଦିଆନଙ୍କ ଦ୍ୱାରା ଦୁର୍ନୀତି ହୋଇଛି ବୋଲି କହୁଛନ୍ତି ତେବେ ସତ୍ସାହସ ଦେଖାଇ ତାଙ୍କ ବିରୋଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଆଉ କେତେଦିନ ସେଇ ଗୋଟିଏ କଥାକୁ ବାରମ୍ବାର କହୁଥିବେ । ଏଥିସହ ବିଧାନସଭା ଚର୍ଚ୍ଚାରେ ଭାଜପା ସରକାରର ବିଭିନ୍ନ ବିଭାଗର ଖର୍ଚ୍ଚ, ହୋଇଥିବା କାମ ଆଦି ପ୍ରସଙ୍ଗରେ ଜୋରଦାର ଧୁଲେଇ କରିଥିଲେ ଯୁବ ବିଧାୟକ ଅରବିନ୍ଦ । ବୋଧହୁଏ ଗତ ବିଧାନସଭା ଅଧିବେଶନରେ ସେ ଥିଲେ ବିଜଦର ସର୍ବଶ୍ରେଷ୍ଠ ବକ୍ତା ।

ବୋଧହୁଏ ବିଜୟ ମହାପାତ୍ରଙ୍କ ସହ ନବୀନଙ୍କ ତିକ୍ତତା କାରଣରୁ ଅରବିନ୍ଦଙ୍କୁ ନବୀନ ବିଦା କଲେ । ବିଜୟଙ୍କ ପୁଅ ଜାଣି ମଧ୍ୟ ସେ ପାଟକୁରାରୁ ଦଳୀୟ ଟିକେଟ ଦେଇଥିଲେ ଅରବିନ୍ଦଙ୍କୁ । ଅରବିନ୍ଦ ମଧ୍ୟ ବେଶ୍ ଭଲ ଭୋଟ୍ରେ ଜିତିଥିଲେ । ଏବେ ଦଳର ଅନେକ ନେତା ମେଳି କରୁଛନ୍ତି, ମୁହଁ ଖୋଲୁଛନ୍ତି, ହୋଟେଲରେ, ପାର୍କରେ ଏକାଠି ହୋଇ ଆଲୋଚନା କରୁଛନ୍ତି । ମାତ୍ର ଅରବିନ୍ଦ କୌଣସି ମେଳିରେ ସାମିଲ ହୋଇନାହାନ୍ତି । ଏହି ଘୋଷଣା ପରେ ପ୍ରତିକ୍ରିୟାରେ ଅରବିନ୍ଦ କହିଛନ୍ତି ଯେ, ଏହା ମୋ’ ପାଇଁ ସରପ୍ରାଇଜ ଏବଂ ସକିଙ୍ଗ (ଆଶ୍ଚର୍ଯ୍ୟ ଏବଂ ଚକିତ) କଲା ଭଳି ନିଷ୍ପତ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଦଳ ବିରୋଧୀ କଥା କୁହାଯାଉଛି । ହେଲେ ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ମୁଁ ମୋ’ ଅଞ୍ଚଳ ପାଇଁ କାମ କରୁଛି । ମୁଁ ଏବେ ଖବର ପାଇଲି ନିଶ୍ଚିତ ଏ ସମ୍ପର୍କରେ କଥା ହେବି ।

ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଛି । ଏପରି ସ୍ଥଳେ ଦୁଇ ଦଳୀୟ ବିଧାୟକଙ୍କୁ ନବୀନ ବାବୁ ଭାଜପା ସପକ୍ଷରେ ଭୋଟ୍ ଦେବା ପାଇଁ ଛାଡ଼ିଦେଲେ ।

ଭାଜପା ଦୁଇଟି ଆସନ ଜିତିବା ପରେ ହାତରେ ରହୁଛି ୨୦ଟି ଭୋଟ୍ । ଏବେ ଆଉ ୯ଟି ହେଲେ ତୃତୀୟ ଆସନକୁ ଭାଜପା ଜିତିବ । ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କଲେ ସମସ୍ତେ ଯେ ତାଙ୍କ ସପୋର୍ଟରେ ଭୋଟ୍ ଦେବେ ତା’ର ଗ୍ୟାରେଣ୍ଟି ନାହିଁ । ଆଜି ଯେଉଁ ନିଷ୍ପତ୍ତି ନବୀନବାବୁ ନେଲେ ତାହା ରାଜ୍ୟସଭା ନିର୍ବାଚନ ପରେ ନେଇପାରିଥାନ୍ତେ । ହେଲେ ନେଲେ ନାହିଁ । ଏବେ ଯେଉଁ ଦଳୀୟ ଅନୁଶାସନ କଥା ଦେଖାଉଛନ୍ତି ତାହା ଏକ ବଡ଼ ପ୍ରଶ୍ନ ନବୀନଙ୍କ ପାଇଁ ।
କିଛି ବିଜଦ ନେତା ସେମାନେ ସ୍ୱାଭାବିକ ସଭାପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ କହିଛନ୍ତି ଯେ ଗୁଇନ୍ଦା ରିପୋର୍ଟ ଆଧାରରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି । ଏହା ଯେତିକି ହାସ୍ୟାସ୍ପଦ ସେତିକି ଲଜ୍ଜାଜନକ । ସେ କେଉଁ ଗୁଇନ୍ଦା କଥା କହୁଛନ୍ତି?

ବିପୁଳ ଭୋଟ୍ ରେ ମହାକାଳପଡ଼ାରୁ ହାରିଥିଲେ ଅତନୁ ସବ୍ୟସାଚୀ ନାୟକ । ସିଏ ପ୍ରତିକ୍ରିୟାରେ କହିଛନ୍ତି ଦୁର୍ନୀତିଗ୍ରସ୍ତ ଏବଂ ବିଶ୍ୱାସଘାତକଙ୍କ ପାଇଁ ଦଳରେ ସ୍ଥାନ ନାହିଁ । ଜଣେ ବିରୋଧୀ ଦଳର ବିଧାୟକ ଦୁର୍ନୀତି କରିବେ କେମିତି ତାହା ଅତନୁ ଭଲଭାବେ ଜାଣିଥିବେ । କିନ୍ତୁ ସେ ଯେଉଁ ବିଶ୍ୱାସଘାତକ କଥା କହିଛନ୍ତି ଏହାର ପ୍ରମାଣ ପ୍ୟାରୀମୋହନ ମହାପାତ୍ରଙ୍କ ସହ ଅତନୁଙ୍କ ସମ୍ପର୍କ କହିବ । ପ୍ୟାରୀ ଏବେ ସ୍ୱର୍ଗରେ ।
ବିଜୁ ଜନତା ଦଳର ବରିଷ୍ଠ ନେତା କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ମୁଁ ଭାବୁଛି ସମସ୍ତ ଇଣ୍ଟେଲିଜେନ୍ସ ନବୀନଙ୍କ ପାଖରେ ଅଛି । ତାଙ୍କ ମାର୍ଗଦର୍ଶନରେ ଦଳ ସଂଗଠନ ହେଉଛି, ଦଳକୁ ମଜଭୁତ କରିବା ପାଇଁ ସେ କଠୋର ପଦକ୍ଷେପ ନେଉଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ଏହା ନବୀନଙ୍କ ନିଷ୍ପତ୍ତି । ଆମେ ଯେତେବେଳେ ଆଜିର ବୈଠକ ପରେ ଏ ସମ୍ପର୍କରେ ଜାଣିବାକୁ ଚାହିଁଲୁ ସେ ଆମକୁ ଅତି ସଂକ୍ଷେପରେ କହିଲେ ସେମାନଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ।

ପୂର୍ବରୁ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ଦଳର ନେତୃତ୍ୱକୁ ସମାଲୋଚନା କରିଛନ୍ତି । ବିଧାୟକ ରାଜା ସ୍ୱାଇଁ ମଧ୍ୟ ହାଇଜାକ କଥା କହିଥିଲେ । ଏହା ସତ୍ତ୍ୱେ ଅରବିନ୍ଦଙ୍କ ଭଳି ନୂଆ ଛୁଆ ଉପରେ ଦାଉ ସାଧି ନବୀନ ପ୍ରମାଣ କରିଦେଲେ ଯେ ବିଜୟଙ୍କ ଉପରେ ଥିବା ପୂର୍ବ ରାଗ ପୁଅ ଉପରେ ଶୁଝାଇଛନ୍ତି । ଦଳ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ସେଥିରେ କିଛି ବତିପେଲାଙ୍କୁ ଛାଡ଼ିଦେଲେ ସବୁ ବିଧାୟକ ଚକିତ ଏହି ନିଷ୍ପତ୍ତିକୁ ନେଇ । ଯଦିଓ କେହି ଖୋଲାଖୋଲି ସଭାପତିଙ୍କୁ ବିରୋଧ କରିବେ ନାହିଁ ହେଲେ ମନରେ ନିଶ୍ଚିତ ଦ୍ୱନ୍ଦ୍ୱ ରହିବ । ହେଲେ ବଡ଼ ପ୍ରଶ୍ନ ନବୀନଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦଳ ଭିତରେ ଶୃଙ୍ଖଳା ଫେରିଆସିବ?

By Nirvay

Leave a Reply

Your email address will not be published. Required fields are marked *