ମହିଳାଙ୍କ ହତ୍ୟାକୁ ନେଇ ମାଲକାନଗିରି ଜିଲ୍ଲା ଏମଭି-୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଲାଗି ରହିଛି ଉତ୍ତେଜନା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା କଟକଣା ଅବଧିକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି । ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କଟକଣା ବଳବତ୍ତର ରହିବ ।

ଦୁଇ ଗ୍ରାମ ମଧ୍ୟରେ ଶାନ୍ତି କିପରି ଫେରାଇ ଅଣାଯିବ ସେ ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଉଭୟ ଗ୍ରାମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ୧୫ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଏବଂ ୨୦ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶାନ୍ତି କମିଟି ବୈଠକ ପରେ ଦୁଇ ଗ୍ରାମରେ ଶାନ୍ତି ଫେରୁଛି । ଦୁଇ ଗ୍ରାମବାସିନ୍ଦା ଗାଁକୁ ଫେରୁଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ କମ୍ବଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ସରକାରୀ ଦଳ ପହଁଚି କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି । ଭାଗ ଚାଷ ଏବଂ ଜମି ବିବାଦକୁ ନେଇ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

ଅନ୍ୟପଟେ ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମାଲକାନଗିରିରେ ପହଁଚଛନ୍ତି ।  ଏକ ସ୍ଵତନ୍ତ୍ର ବିମାନ ଯୋଗେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଛନ୍ତି । ଏମ୍ଭି ୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ଅବସ୍ଥାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଜିଲ୍ଲାପାଳ । ବୈଠକରେ ଉପସ୍ଥିତ ଥିଲେ ଦକ୍ଷିଣାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ADG ସଞ୍ଜୀବ ପଣ୍ଡା ଡିଆଇଜି କନୱର ବିଶାଲ ସିଂ ଓ ମାଲକାନଗିରି ଏସ୍ପି ବିନୋଦ ପାଟିଲ ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ।

ଉଲ୍ଲେଖ ଥାଉକି, ଗତ ୪ ତାରିଖରେ ରାଖେଲଗୁଡ଼ା ଗ୍ରାମର ଲାକେ ପଡ଼ିଆମି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ କୋରୁକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡାମେଟା ନଦୀ କୂଳରୁ ମିଳିଥିଲା । ଏମଭି-୨୬ରେ ଗ୍ରାମର ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ରାଖେଲଗୁଡ଼ା ଗ୍ରାମବାସୀ ସନ୍ଦେହ କରି ଏମଭି-୨୬ ଗ୍ରାମର ୧୬୩ ଘରେ ଜାଳି ଦେଇଥିଲେ । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଗତକାଲି ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ନାମକୋଣ୍ଡା ପୋଟେରୁ ନଦୀକୂଳରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ପୋଲିସ ଉକ୍ତ ମୃତ ଦେହକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଡିଏନଏ ପରୀକ୍ଷା ପାଇଁ ମଧ୍ୟ ନମୂନା ସଂଗ୍ରହ କରାଯାଇଛି । ଡିଏନଏ ପରୀକ୍ଷା ପରେ ଚିତ୍ର ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *