ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ରାଜ୍ୟ ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଆବହମାନ କାଳରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରୁଛନ୍ତି । ଏବେ ସେମାନଙ୍କ ସଂଖ୍ୟା ୧ କୋଟିରୁ ଅଧିକ ହେବ । ଜଳ, ଜଙ୍ଗଲ, ଜମି ହେଉଛି ଆଦିବାସୀ ମାନଙ୍କ ଐତିହାସିକ ଦାବି । ସେମାନଙ୍କ ନାର୍ଯ୍ୟ ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦୦୮ ମସିହାରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ସହ ଆଦିବାସୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ ଆରମ୍ଭ କରିଥିଲେ । ଏହା ଏକ ଐତିହାସିକ ନିଷ୍ପତି ଥିଲା । ଜଙ୍ଗଲ ଜମି, ଆଦିବାସୀ ମାନଙ୍କ ସାମ୍ୱିଧାନିକ ଅଧିକାର । ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଜଙ୍ଗଲ ଜମି ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଓଡ଼ିଶାର ବିଜେପି ସରକାର ଏହାକୁ ବନ୍ଦ କରି ଦେଲେ । ଲକ୍ଷ ଲକ୍ଷ ଭୂମିହୀନ ଆଦିବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିଛନ୍ତି । ଏହି ଯୋଜନାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡି ସରକାର ୨୦୨୩ ବିଶ୍ୱ ଆଦିବାସୀ ଦିବସରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତି ତହସିଲ ଓ ଆଇଟିଡିଏ କାର୍ଯ୍ୟାଳୟରେ ଏଫଆରଏ ସେଲ୍ ଖୋଲି କାମକୁ ତ୍ୱରାନ୍ୱିତ କରାଯାଇଥିଲା । ଏଥିପାଇଁ ସେହି ବର୍ଷ ୩୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ ବି କରିଥିଲେ । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଇତି ମଧ୍ୟରେ ୪ ଲକ୍ଷ ୭୩ ହଜାର ୩୬୪ଟି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ କରାଯାଇଛି । ଦୁର୍ଗମ, ଅପହଞ୍ଚ ଇଲାକାରେ ରହୁଥିବା ଜଙ୍ଗଲ ଅଧିବାସୀ ନବୀନ ବାବୁଙ୍କ ଠାରୁ ଜମି ପଟ୍ଟା ପାଇଁ ନିଜକୁ ଧନ୍ୟ ମନେ କଲେ । କିନ୍ତୁ ଟଙ୍କା ନାହିଁ ବୋଲି କହି ବିଜେପି ସରକାର ଏହି ଯୋଜନାକୁ ଗତ ତିନିମାସ ହେଲା ବନ୍ଦ କରି ଦେଇଛନ୍ତି । ପଟ୍ଟା ନଥିବାରୁ ଆଦିବାସୀ ମାନେ ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଗତ ମେ ମାସରେ ମାନ୍ୟବର ରାଜ୍ୟପାଳ ସମୀକ୍ଷା କରିବା ସମୟରେ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର ମଧ୍ୟ ତାଗିଦ୍ କଲେ । କିନ୍ତୁ ଏପରି ଏକ ଆଦିବାସୀ କଲ୍ୟାଣକାରୀ ଯୋଜନାକୁ ଆଗକୁ ନେବା ପରିବର୍ତ୍ତେ ବନ୍ଦ କରି ଦିଆଗଲା । ଯେତେବେଳେ ଉପ ନିର୍ବାଚନ ଆସେ ସେତେବେଳେ ମୋହନ ଚରଣ ମାଝିଙ୍କୁ ଆଦିବାସୀଙ୍କ କଥା ମନେ ପଡେ । ବିଜେପି ସରକାରର ଏହି ଆଦିବାସୀ ମାରଣ ନୀତି ବିରୁଦ୍ଧରେ ସାରା ରାଜ୍ୟର ଆଦିବାସୀ ଏକାଠି ହେବେ । ଏହି ପ୍ରତାରଣା ପ୍ରତିବାଦରେ ୨୩ ଜିଲ୍ଲାର ଆଦିବାସୀ ମାନେ ବିଜେଡି ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇବେ । ବିଜେଡି ନେତୃତ୍ୱରେ ସଂଗ୍ରାମ ଆରମ୍ଭ ହେବ ଚେତାବନୀ ଦେଇଛନ୍ତି । Post navigation BJD Press Meet: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି Odisha Assembly: ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ