ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଅଚାନକ ଛୁଟିରେ ଯିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ନୂଆପଡା ଉପନିର୍ବାଚନ ହେବାକୁ ଦୁଇ ସପ୍ତାହରୁ କମ୍ ସମୟ ଥିବାବେଳେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଚାନକ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବାକୁ ନେଇ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ କମିସନରଙ୍କ ନିକଟରେ ପ୍ରଶ୍ନ ଉଠାଇଛି । ଗତକାଲି ବିଜୁ ଜନତା ଦଳ ତରଫରୁ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରା ନିର୍ବାଚନକୁ ସରକାରୀ ଦଳ ସପକ୍ଷରେ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିବା ବେଳେ ଆଜି ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାକୁ ନେଇ ବିଜେପି ସରକାରୀ ଅଧିକାରୀଙ୍କୁ ବ୍ୟବହାର କରି ବିଜେପି ନିର୍ବାଚନକୁ ତାଙ୍କ ସପକ୍ଷରେ ନେବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । କନୱର ବିଶାଲ ସିଂ ପୂର୍ବରୁ ପ୍ରଶାସନିକ ସ୍ତରରେ ନିର୍ବାଚନ ସମ୍ୱନ୍ଧୀୟ ବୈଠକରେ ଉପସ୍ଥିତ ରହୁଥିବା ବେଳେ, ଗତକାଲି ଅଚାନକ ତାଙ୍କ ସ୍ଥାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଦେଖିବାକୁ ମିଳିଥିଲା । ଉପନିର୍ବାଚନ ସମୟରେ ଓ ରାଜ୍ୟରେ ଆସନ୍ନ ବାତ୍ୟା ସ୍ଥିତିରେ, ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଥିବା ବେଳେ, କେଉଁ ପରିସ୍ଥତିରେ କନୱର ବିଶାଲ ସିଂଙ୍କୁ ଛୁଟିରେ ଯିବାକୁ ଅନୁମତି ଦିଆଗଲା ବୋଲି ସ୍ମାରକପତ୍ରରେ ବିଜେଡି ପ୍ରଶ୍ନ କରିଛି । ସେ ଛୁଟିରେ ଯାଇଛନ୍ତି ନା ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦେବାକୁ ନେଇ ବିଜେଡି ପ୍ରଶ୍ନ କରିଛି । ଉଲ୍ଲେଖଯୋଗ୍ୟ ଯେ, ଉପନିର୍ବାଚନର ଭୋଟ ଗଣତି ୧୪ ନଭେମ୍ୱରରେ ଶେଷ ହେଉଥିବା ବେଳେ, କନୱର ବିଶାଲ ସିଂ ନଭେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ସୂଚନା ମିଳିଛି, ଯାହା ଅତ୍ୟନ୍ତ ସାଙ୍ଘାତିକ । ଏହାଛଡା, ହିମାଂଶୁ ଲାଲଙ୍କ ପୂର୍ବ ରେକର୍ଡ ମଧ୍ୟ ଠିକ୍ନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ହିମାଂଶୁ ଲାଲଙ୍କ ମାଧ୍ୟମରେ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେପି ନୂଆପଡା ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଉପନିର୍ବାଚନ କିପରି ସ୍ୱଚ୍ଛ ଓ ଅବାଧ ହୋଇପାରିବ, ସେଥିପାଇଁ ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ନିର୍ବାଚନ କମିସନରଙ୍କ ନିକଟରେ ଅନୁରୋଧ କରିଛି ବିଜେଡି । ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ସୁଲତା ଦେଓ, ଭୃଗୁ ବକ୍ସିପାତ୍ର, ଡ. ଲେନିନ୍ ମହାନ୍ତି, ମିହିର ରାୟ, ତୁମ୍ବନାଥ ପଣ୍ଡା, ସୋଫିଆ ଆଲମ୍, ଜ୍ୟୋତ୍ସ୍ନା ପରିଡା, ରୀତାଞ୍ଜଳୀ ପ୍ରଧାନ ଓ ଇଲା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । Post navigation Nuapada Bypoll: ନିରଞ୍ଜନ ବିଶିଙ୍କୁ ଆମେରିକା ଯାତ୍ରାରୁ ରୋକିଲା ବିଜେଡି Nuapada Bypoll: ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି