ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏମ୍ବିବିଏସ୍ ଦ୍ଵିତୀୟ ବର୍ଷର ଛାତ୍ରୀ ଗଣଧର୍ଷଣର ଶିକାର ହୋଇଛନ୍ତି । ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓଡ଼ିଆ ଛାତ୍ରୀଙ୍କୁ ଗଣଧର୍ଷଣ ପରେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଟାଣ । ଏବେ ବି ତାଙ୍କ ଫୁଟାଣି ଯାଇନି । ନିଜେ କଣ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସେକଥା କହିବା ପୂର୍ବରୁ ଓଡ଼ିଶା ପ୍ରତି ଆଙ୍ଗୁଠି ଉଠାଇଛନ୍ତି । ତେବେ ଜଣେ ମହିଳା ହୋଇ ବି ଆଉ ଜଣେ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅବିଚାରକୁ ବୁଝି ପାରୁନାହାନ୍ତି କେମିତି । ଜଣେ ନାରୀ ହୋଇ ବି ମମତା ହୀନ ମମତା । ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ‘କହି ଦେଉଥାଉ ପରକୁ, ବୁଦ୍ଧି ଦିଶୁନଥାଇ ନିଜକୁ’ । ଗଣଧର୍ଷଣ ଭଳି ସମ୍ବେଦନଶୀଳ ଘଟଣାରେ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି ଦିଦି । ଏପରିକି କଣ ଆକ୍ସନ ନିଆଯାଇଛି, ସେ ନେଇ ପୋଲିସ ପଚାରିବାକୁ କହିଥିଲେ ମମତା । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଓଲଟା ଓଡ଼ିଶା ଉପରେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ଓଡ଼ିଶାରେ ଏଭଳି ଅନେକ ଗଣଦୁଷ୍କର୍ମ ଘଟଣା ଘଟିଛି, ସେଥିରେ କଣ ଆକ୍ସନ ନିଆଯାଇଛି । ଅନ୍ୟପକ୍ଷରେ ଜଣେ ମହିଳା ଭାବେ ଛାତ୍ରୀଙ୍କୁ ସମର୍ଥନ କରିବା ବା ତାଙ୍କ ମାନସିକ ସ୍ଥିତି ବୁଝିବା ବଦଳରେ ବୟାନବାଜିରେ ବ୍ୟସ୍ତ ଦିଦି । ଛାତ୍ରୀ ରାତି ସାଢେ ବାରଟାରେ ହଷ୍ଟେଲ ବାହାରକୁ ଗଲା କେମିତି ? ଝିଅମାନେ ନିଜେ ନିଜର ଆତ୍ମରକ୍ଷା କରିବା ଆବଶ୍ୟକ । ଘରୋଇ ମେଡିକାଲ କଲେଜ ନିଜ ଛାତ୍ରୀଙ୍କ ଦାୟିତ୍ୱ ନେବା ଦରକାର । ଝିଅମାନଙ୍କୁ ରାତିରେ ବାହାରକୁ ଛାଡିବା କଥା ନୁହେଁ ବୋଲି କହି ସଫେଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଯାହା ଜଣାପଡ଼ୁଛି, ଦିଦି ବୋଧେ ଓଡ଼ିଶାର ରେକର୍ଡ ଭାଙ୍ଗିବା ପାଇଁ ଯୋଜନା କରୁଛନ୍ତି । ଆରଜି କର ହସ୍ପିଟାଲ ଘଟଣାରେ ମମତା ବାନାର୍ଜୀ କଣ ପଦକ୍ଷେପ ନେଲେ ତାହା ସମସ୍ତଙ୍କୁ ଜଣାଅଛି । Post navigation ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ; ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନା ଚକ୍ରରେ ଦେଲେ ଯୋଗ ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି