କତ୍ତୃପକ୍ଷଙ୍କ ଅବହେଳାରୁ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍‌ । ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ କଟକ ଚୌଦ୍ବାର ଜେଲ୍ ର କାନ୍ଥ ଡେଇଁ ଦୁଇ କଏଦୀ ଫେରାର ହୋଇଛନ୍ତି । ଦୁଇ କଏଦୀ ମଧୁକାନ୍ତ ଓ ରାଜା ସାହାଣୀଙ୍କ ଫେରାରକୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଉଭୟ ଗୁରୁବାର ବିଳମ୍ବିତ ରାତିରେ ଜେଲର ଲୁହା ରଡକୁ ପ୍ରଥମେ ଆରିରେ କାଟିଥିଲେ ଏବଂ ପରେ କମ୍ବଳ ସୁତାରେ ରଶି ତିଆରି କରି ଫେରାର ହେବାରେ ସଫଳ ହୋଇଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଜେଲରେ ଏତେ ସୁରକ୍ଷା ବ୍ୟବସ୍ଥା ଥିବାବେଳେ ସେମାନଙ୍କ ନିକଟକୁ ଆରି କେମିତି ଆସିଲା । ସେହିପରି ଉଭୟ ଅଲଗା ଅଲଗା କୋଠରୀରେ ରହୁଥିଲେ । ତେଣୁ ଏକା ସାଙ୍ଗରେ ଦୁଇ ଜଣ ଆରିରେ ରଡ୍ କାଟିଲେ କିନ୍ତୁ ଅନ୍ୟ କଏଦୀମାନେ କିପରି ତାହା ଦେଖି ପାରିଲେ ନାହିଁ କିମ୍ବା ଜାଣି ପାରିଲେ ନାହିଁ । ପାଚେରୀ ଚଢ଼ି ରଶିକୁ ବାନ୍ଧିବାକୁ ସମୟ ଲାଗିଥିବ । ଏହାରି ମଧ୍ୟରେ କାର୍ଯ୍ୟରତ ଥିବା ଜେଲ୍ ୱାର୍ଡର୍ ମାନେ କିପରି ଜାଣି ପାରିଲେ ନାହିଁ ।

ଅନ୍ୟପଟେ ଜେଲରେ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲର ୱାର୍ଡର୍ ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର୍ ଭଗତ ରାମଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କଟକ ରେଞ୍ଜ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ୍ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ; ମଧୁକାନ୍ତ ଓ ରାଜା ସାହାଣୀ ଯାଜପୁର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଥିଲେ । ଜାନୁଆରୀ ୪ ତାରିଖରେ ପଣ୍ଡା ଅଳଙ୍କାରରୁ ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଥିଲା । ଲୁଟେରାଙ୍କ ଗୁଳି ମାଡ଼ରେ ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଏବଂ ଦୋକାନ ମାଲିକ ସୁନୀଲ ରାୟଙ୍କର ମୃତ୍ୟୁ ହୋଇଥିଲା । ଉଭୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଯାଜପୁର ଜେଲରୁ ଚୌଦ୍ୱାର ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *