ଆଜି ହେଉଛି ପବିତ୍ର ନବରାତ୍ରର ପ୍ରଥମ ଦିନ । ଆଜିଠାରୁ ଓଡିଶା ତଥା ସମଗ୍ର ଦେଶରେ ନୂତନ ଜିଏସଟି ସୁଧାର ଲାଗୁ ହେବା ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ । ରାଜ୍ୟବାସୀଙ୍କ ତରଫରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ତଥା ଧନ୍ୟବାଦ ଜ୍ଞାପନ କରୁଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମଲ କହିଛନ୍ତି ଯେ, ଚଳିତି ବର୍ଷ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦି ଦଶହରା, ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଜିଏସଟି ଉପହାର ଦେବାପାଇଁ ଘୋଷଣା କରିଥଲେ । ଏହି ପରିପ୍ରେକ୍ଷୀରେ ଗତ ସେପ୍ଟେମ୍ବର ୩ତାରିଖ ଦିନ ୫୬ ତମ ଜିଏସଟି ପରିଷଦ ବୈଠକରେ ସମସ୍ତ ରାଜ୍ୟର ସହମତିରେ ‘ଆଗାମୀ ପିଢୀର ଜିଏସ୍ଟି ସୁଧାର’କୁ ଗୃହୀତ କରାଯାଇଥିଲା । ବିକଶିତ ଭାରତର ଗଠନ ପାଇଁ ଗରିବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗକୁ ପ୍ରାଧାନ୍ୟ ଦେଇ ବିରାଟ ଆର୍ଥିକ ସଂସ୍କାର କରାଯାଇଛି । ଏହା କେବଳ ଦୀପାବଳି ଉପହାର ନୁହେଁ, ବରଂ ଏହା ହେଉଛି ନୂଆ ପିଢ଼ି ପାଇଁ ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର । ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍ଟି ସୁଧାର’ । ଦୈନନ୍ଦିନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ପାଇବା କାରଣରୁ ଗରିବ, ମଧ୍ୟବିତ ପରିବାରର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଗୋଟିଏ ବର୍ଷ ଭିତରେ ‘ଆୟକର ସହ ଜିଏସ୍ଟି ଛାଡ’ ହେଉଛି ଡବଲ ଇଂଜିନ ସରକାରର ଡବଲ ଉପହାର । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆର୍ଥିକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ ଓ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ହୋଇପାରିଛି । ନୂତନ ପିଢୀର ଜିଏସ୍ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ମନମୋହନ ସାମଲ କହିଛନ୍ତି । ପୂର୍ବରୁ ୧୨ ପ୍ରତିଶତ ହାରରେ ଥିବା ଜିଏସ୍ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାର ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢିବ, ଆବଶ୍ୟକ ସାମଗ୍ରୀର ଦର କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ଗରିବ, କୃଷକ, ମଧ୍ୟବିତ ଓ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି, କ୍ୟାନ୍ସର ସହ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍ଟି ଛାଡ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ମନମୋହନ ସାମଲ କହିଛନ୍ତି । ଜିଏସଟି ୨.୦ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ସଂସ୍କାରର ଏକ ଅଂଶବିଶେଷ ଅଟେ । ଯାହା ଦୀର୍ଘ ୧୧ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଓ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଅଟେ । ରେକର୍ଡ ସଂଖ୍ୟକ ବିଦେଶୀ ପୁଞ୍ଜି ନିବେଶ ସହ ବ୍ୟବସାୟ ଓ ରୋଜଗାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଭିତଭୂମିରେ କ୍ରାନ୍ତିକାରୀ ପ୍ରଗତି ହୋଇଛି । ୬୦ପ୍ରତିଶତରୁ ଅଧିକ ଜାତୀୟ ରାଜପଥ ବିସ୍ତାର, ୨୦ରୁ ଅଧିକ ସହରରେ ମେଟ୍ରୋ ରେଲ୍, ୧୫୦ରୁ ଅଧିକ ଏୟାରପୋର୍ଟ, ବନ୍ଦେଭାରତ ଓ ଅମ୍ବୃତ ଭାରତ ଭଳି ଟ୍ରେନର ଆଧୁନିକରଣ ହୋଇଛି । ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ କ୍ରାନ୍ତି ଦ୍ୱାରା ବିଶ୍ୱର ସର୍ବବୃହତ ଡିଜିଟାଲରେ ନେଣଦେଣ କରୁଥିବା ଅର୍ଥବ୍ୟବସ୍ଥା ଅଟେ । ଡିବିଟି ବା ସିଧାସଳଖ ବ୍ୟାଙ୍କ ଖାତାରେ ଜମା ଦ୍ୱାରା ମଧ୍ୟସ୍ଥି / ଦଲାଲମାନଙ୍କର ଭୂମିକାକୁ ସମାପ୍ତ କରାଯିବା ସହ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜକୋଷରୁ ବାଟମାରଣାକୁ ବନ୍ଦ କରାଯାଇଛି । ଆତ୍ମନିର୍ଭର ଭାରତ ଓ ପିଏଲଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି । ମନମୋହନ ସାମଲ କହିଛନ୍ତି ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନର ମାନ ପରିବର୍ତିତ ହୋଇଛି । ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଣ, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା, କୋଟି କୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି । ୧୪କୋଟି ଶୌଚାଳୟ ଦ୍ୱାରା ସ୍ୱଚ୍ଛତା ଓ ସମ୍ମାନଜନକ ଜୀବନଯାପନର ବ୍ୟବସ୍ଥା ହୋଇପାରିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନାରେ ଉଦ୍ୟମୀମାନଙ୍କୁ ନୂଆ ଶକ୍ତି ମିଳିଛି ଓ ଶହେରୁ ଅଧିକ ୟୁନିକର୍ଣ୍ଣ ଉଦ୍ୟୋଗୀ ଭାରତରେ ପ୍ରତିଷ୍ଠିତ ହୋଇଛନ୍ତି । କୋଭିଡ ମହାମାରୀ ପରେ ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡିବାରେ ସମର୍ଥ ହୋଇଛି । ଏହି ଜିଏସଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ, ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ ତ୍ୱରିତ ବେଗରେ ଅଗ୍ରସର ହେବ । ଜିଏସଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ । ଆଗାମୀ ପିଢୀର ଜିଏସଟି ସୁଧାର କାରଣରୁ ଓଡିଶାର କୋଟି କୋଟି କୃଷକଙ୍କର ଆୟରେ ଆଖି ଦୃଶିଆ ଅଭିବୃଦ୍ଧି ହେବ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଓ ତାଙ୍କ ପରିବାର ବର୍ଗ ଆର୍ôଥକ ଦୃଷ୍ଟିରୁ ଆହୁରି ସଶକ୍ତ ହେବେ । କୋଇଲାରେ ସେସ୍ ହଟାଇ ଦିଆଯିବା ଓ ଜିଏସଟି ହାରରେ ପରିବର୍ତନ ଯୋଗୁ ଓଡିଶାର ରାଜସ୍ୱରେ ଅଭିବୃଦ୍ଧି ହେବ । ଓଡିଶା ପର୍ଯ୍ୟଟନ ଶିଳ୍ପରେ ବୈପ୍ଲବିକ ପରିବର୍ତନ ଆସିବ ଏବଂ ନିଯୁକ୍ତିର ଅପାର ସମ୍ଭାବନା ସୃଷ୍ଟି ହେବ । ସୂତା ଉପରେ ଜିଏସଟି ଦର ୧୮% ରୁ ୫% କୁ ହ୍ରାସ ଦ୍ୱାରା ଓଡିଶାର ଲକ୍ଷଲକ୍ଷ ବୁଣାକାର ଉପକୃତ ହେବେ ଓ ବିଦେଶକୁ ରପ୍ତାନି ପରିମାଣ ବୃଦ୍ଧି ପାଇବା ସହିତ ଦେଶ ପାଇଁ ବୈଦେଶିକ ମୁଦ୍ରା ଆଣିବାରେ ସହାୟକ ହେବ । ଜିଏସଟି ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମନମୋହନ ସାମଲ କହିଛନ୍ତି । ଏହା ସହ ୭୮ ବର୍ଷ ପୂର୍ବେ ଆମକୁ ବିଦେଶୀ ଶାସନରୁ ମୁକ୍ତି ମିଳିଥିଲା, କିନ୍ତୁ ବିଦେଶୀ ଦ୍ରବ୍ୟରୁ ମୁକ୍ତ ହେବା ପାଇଁ ଆଜି ସମୟ ଆସିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ \”ଆମେ ସ୍ୱଦେଶୀ କିଣିବା, ସ୍ୱଦେଶୀ ବିକିବା’ ରେ ସାମିଲ ହେବାକୁ ରାଜ୍ୟ ସଭାପତି ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଲ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । Post navigation କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି ବିଜେପିର ଦାଦନମୁକ୍ତ ଓଡିଶା ଗଠନ ପ୍ରତିଶ୍ରୁତି ପାଣିର ଗାର: ବିଜେଡି