ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ, ନିଶା ମୁକ୍ତ ଭାରତ ଗଠନର ମହାନ ସଂକଳ୍ପ ନେଇ ଭୁବନେଶ୍ୱର ସମେତ ଦେଶର ୭୫ଟି ସହରରେ ‘ନମୋ ଯୁବ ରନ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପି ଜାରି ରହିଥିବା ସେବା ପର୍ବ ଅନ୍ତର୍ଗତ “ନିଶାମୁକ୍ତ ଭାରତ ଅଭିଯାନ” ରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରୁ ଏକ ବିଶାଳ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଗଣ ଦୌଡ଼ରେ ସାମିଲ ହୋଇଥିଲେ । କଳିଙ୍ଗ ଷ୍ଟାଡିଅମ ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ଆୟୋଜିତ ମାରାଥନରେ ମୁଖ୍ୟମନ୍ତ୍ରୀ ନିଜେ ସମସ୍ତ ଛାତ୍ରଛାତ୍ରୀ, ଖେଳାଳୀ, ଯୁବବର୍ଗ ଓ ଅନେକ ନେତୃବୃନ୍ଦଙ୍କ ସହ ସାମିଲ ହୋଇ ନିଶାମୁକ୍ତ ଭାରତର ସଚେତନତା ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଭାରତବର୍ଷକୁ ନିଶାମୁକ୍ତ କରିବା ପାଇଁ ମୋଦିଜୀଙ୍କ ଏହି ନୂଆ ସଂକଳ୍ପ ଯୁବବର୍ଗଙ୍କୁ ରାଷ୍ଟ୍ର ଗଠନ ଦିଗରେ ପ୍ରେରିତ କରିବ । ଯୁବବର୍ଗ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରଷା ଅଛି । ଯୁବବର୍ଗଙ୍କ ଜ୍ଞାନ, ଦକ୍ଷତା, କର୍ମ କୁଶଳତା ଓ ଦାୟିତ୍ୱବୃଦ୍ଧି ଜରିଆରେ ସେ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ରଖିଛନ୍ତି । ମୋଦୀଜୀଙ୍କ ଅନେକ ସଂକଳ୍ପ ଦେଶର ଅନେକ ସମସ୍ୟା ଦୂର କରିପାରିଛି । ଦେଶର ଦାରିଦ୍ର୍ୟ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ଅଛି । ସବୁ ଗାଁ’କୁ ବିଜୁଳି, ସବୁ ଗାଁ’କୁ ପିଇବା ପାଣି ଯୋଗାଣ କ୍ଷେତ୍ରରେ ଆମେ ସମ୍ପୂର୍ଣ୍ଣତା ହାସଲ କରିବାର ଦ୍ୱାରଦେଶରେ ପହଞ୍ଚି ସାରିଛୁ । ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଆଦି କାର୍ଯ୍ୟକ୍ରମ ଦେଶକୁ ଆତ୍ମନିର୍ଭରତାର ରାସ୍ତାରେ ଆଗକୁ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିଶାମୁକ୍ତି ଅଭିଯାନ ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ, ଆଜିର ସମାଜରେ ମଦ୍ୟପାନ, ଗୁଟଖା, ଧୂମପାନ, ଗଞ୍ଜେଇ ଏବଂ ବିଭିନ୍ନ ଡ୍ରଗ୍ସ ପରି ବିଭିନ୍ନ ମାଦକଦ୍ରବ୍ୟର ପ୍ରଭାବ ଭୟଙ୍କର ଭାବରେ ବଢ଼ୁଛି । ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରେନାହିଁ, ନିଶା ନିଜ ସହିତ ନିଜ ପରିବାରକୁ ଛାରଖାର କରିଦିଏ । ନିଶା ପାଇଁ ପାଠପଢ଼ାରେ ଅସଫଳତା, ସ୍ୱାସ୍ଥ୍ୟର ଅବନତି, ଅପରାଧ ପ୍ରବୃତ୍ତିରେ ବୃଦ୍ଧି, ପରିବାରରେ ଅଶାନ୍ତି ଆଣିଥାଏ । ଜଣେ ନିଶାସକ୍ତ ଯୁବକ, ତାଙ୍କର ପିତାମାତାଙ୍କ ସ୍ୱପ୍ନକୁ ଭାଙ୍ଗିଦେଇଥାଏ । ଦେଶର ଭବିଷ୍ୟତ ଯିଏ ଗଢିଥାନ୍ତା, ସିଏ ଦେଶ ପାଇଁ ଏକ ବୋଝରେ ପରିଣତ ହୋଇଯାଏ । ଦେଶକୁ ନିଶାମୁକ୍ତ କରିବାର ଦାୟିତ୍ୱ ମୋଦିଜୀ ଯୁବବର୍ଗଙ୍କ ଉପରେ ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୁବବର୍ଗ ଙ୍କୁ ସଙ୍କଳ୍ପ କରାଇଥିଲେ ଓ ନିଶା ମୁକ୍ତ ଭାରତ ଗଠନ କରିବା, ଯୁବବର୍ଗର ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଦେଶ ଗଠନରେ ଉପଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମେ ଫେୟାର ଛକ ଠାରେ ଥିବା ଏକ ଚା ଦୋକାନ ପାଖରେ ଚା ପିଇବା ସହିତ ସେଠାରେ ଥିବା ଜନସାଧାରଣଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଚା ପିଉ ପିଉ ମୁଖ୍ୟମନ୍ତ୍ରୀ, କେତେବେଳେ ବୁଢ଼ୀ ମାଆଟିକୁ ତା’ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଥାନ୍ତି ତ, କେତେବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ବିଷୟରେ ପଚାରି ବୁଝୁଥାନ୍ତି । ପାଖରେ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଭଲ ପାଠ ପଢିବା ଏବଂ ଯୁବ ବର୍ଗଙ୍କୁ ନିଶା ସେବନର ଅପକାରିତା ବିଷୟରେ ବୁଝାଉ ଥାନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । Post navigation ସାମ୍ବାଦିକଙ୍କୁ ପେନସନର ଦାବି ରଖିଲେ ନବୀନ ଦାସ ‘ବେକାରୀ ଯୁବ ସମ୍ମିଳନୀ’ କରିବ ବିଜୁ ଯୁବ ଜନତା ଦଳ