BJD to gherao statewide SP offices on Sep 17
ବାଲିହରଚଣ୍ଡୀ ଛାତ୍ରୀ ଗଣଧର୍ଷଣ ଘଟଣାରେ ୧୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦେବ ବିଜୁ ମହିଳା ଜନତା ଦଳ ।
 
ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଧର୍ଷଣ ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
 
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବିଧାୟିକା ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଓ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ, ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ପି ଅଫିସ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ତରଫରୁ ଧାରଣା ଦିଆଯିବା ସହିତ ଏହି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ ।
 
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ଧର୍ଷଣ, ଗଣଧର୍ଷଣ, ଅସଦାଚରଣ ଓ ମହିଳାଙ୍କୁ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିର ସଦ୍ୟତମ ନମୁନା । ଏହି ଘଟଣା ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି । ରାଜ୍ୟରେ ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଇତ୍ୟାଦି ଘଟଣା ଯେପରି ଥମିବାର ନାଁ ନେଉନାହିଁ । ଦୁଷ୍କର୍ମ ଓ ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ, ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ଗୋପାଳପୁର ଘଟଣା ପରେ, ଆମେରିକା ତରଫରୁ ଜାରି କରାଯାଇଥିବା ଆଡ଼ଭାଇଜରିରେ ମହିଳା ସୁରକ୍ଷା ସ୍ଥିତି ଠିକ୍ ନଥିବା ଦର୍ଶାଇ ଓଡିଶା ସମେତ ୬ଟି ରାଜ୍ୟକୁ ତାଙ୍କ ଦେଶର ମହିଳା ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା ।
 
ସେହିପରି ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜାଜନକ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ଓଡିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା । କିନ୍ତୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାରେ ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
 
ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ ଅପରାଧ ସୀମା ସୀମା ଉଲ୍ଲଙ୍ଘନ ହୋଇଛି । ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଗତ ୧୪ ମାସର ବିଜେପି ଶାସନରେ, ସମସ୍ତ ବର୍ଗର ବ୍ୟକ୍ତି ମାନଙ୍କ ଭିତରୁ, ମହିଳା ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ସରକାର ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟର ସମସ୍ତ ଲଭର୍ସ ପଏଣ୍ଟରେ ସୁରକ୍ଷା ପ୍ରଦାନ ପାଇଁ ଘୋଷଣା କରିଥିଲେ । ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ପରେ ପରିଡାଙ୍କ ଘୋଷଣା ପାଣିରେ ଗାର ସଦୃଶ୍ୟ ହୋଇଛି । ରାଜ୍ୟ ପୋଲିସ କର୍ତ୍ତୃପକ୍ଷ ପୋଲିସ କର୍ମଚାରୀ ଅଭାବ ରହିଛି ବୋଲି ସଫେଇ ଦେଉଛନ୍ତି । ରାଜ୍ୟର ନେତା ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବ୍ୟସ୍ତ ଅଛି, କିନ୍ତୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ କର୍ମଚାରୀଙ୍କ ଅଭାବ ରହିଛି ।
 
ମିନତୀ ବେହେରା କହିଥିଲେ, ମହିଳା ମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ବିଜେଡି ସରକାରଙ୍କ ସମୟରେ ଆରମ୍ଭ କରାଯାଇଥିବା ମହିଳା ଓ ଶିଶୁ ଡେସ୍କ ଗୁଡିକ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ଯାହାଫଳରେ ଅତ୍ୟାଚାରର ଶିକାର ହେଉଥିବା ମହିଳା ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାଛଡା ୧୮୧ ହେଲ୍ପଲାଇନ ମଧ୍ୟ କାର୍ଯ୍ୟ କରୁନାହିଁ । ଗତ ୧୪ ମାସ ବିଜେପି ଶାସନରେ, ରାଜ୍ୟରୁ ଯୁବତୀ ଚାଲାଣ ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ତେଣୁ ବିଜୁ ମହିଳା ଜନତା ଦଳ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ଲଢେଇ ଜାରି ରଖିବ ।

By Nirvay

Leave a Reply

Your email address will not be published. Required fields are marked *