ଉପ-ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବିଜୁ ଜନତା ଦଳ । ଏହି ମର୍ମରେ ଦଳର ନିଷ୍ପତ୍ତି ଘୋଷଣା କରିଛନ୍ତି ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର । ଗତ ୫ତାରିଖ ନିର୍ଭୟ ସଂସ୍କରଣରେ ଏହା ହିଁ ପୂର୍ବାନୁମାନ କରାଯାଇଥିଲା। କୌଣସି ରାଜନୈତିକ ରିସ୍କ ନନେବା ପାଇଁ ବିଜଦ ସଭାପତି ନବୀନ ପଟନାୟକ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ଯ ହୋଇଛନ୍ତି। ରବିବାର ନବୀନ ଦିଲ୍ଲୀ ପହଞ୍ଚିଥିଲେ । ଏହା ପୂର୍ବରୁ ସେ ଉପ-ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଦଳର ବରିଷ୍ଠ ନେତା ଓ ରାଜନୈତିକ ବ୍ୟାପାର କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ନୂଆଦିଲ୍ଲୀରେ ସୋମବାର ବିଜଦର ରାଜ୍ୟସଭା ସଦସ୍ୟଙ୍କ ସହ ଆଲୋଚନା ପରେ ଭୋଟଦାନରୁ ବିରତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦଳୀୟ ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇ ସସ୍ମିତ କହିଥିଲେ ଯେ, ଦଳୀୟ ନେତାମାନଙ୍କ ସହ ଆଲୋଚନା ପରେ ସଭାପତି ନବୀନ ପଟନାୟକ ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଓ ଇଣ୍ଡିମେଣ୍ଟ ଠାରୁ ବିଜଦ ସମଦୂରତା ରକ୍ଷା କରିବ ବୋଲି ନିଷ୍ପତ୍ତି ନେଇଛନ୍ତି। ବିଜଦ ଓଡ଼ିଶାର ସ୍ବାର୍ଥ ଏବଂ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ ସସ୍ମିତ। ନିଷ୍ପତ୍ତି ଆଦୌ ଅପ୍ରତ୍ୟାଶିତ ନୁହେଁ। ଓ୍ବାକଫ୍ ବିଲ୍ ବେଳେ ଯେଉଁ ଝମେଲାରେ ପଡ଼ିଥିଲା ବିଜଦ ତାହାକୁ ଆଉ ଦୋହରାଇବା ପାଇଁ ନବୀନ ଚାହିଁନଥିଲେ। ଓ୍ୱାକଫ୍ ବିଲକୁ ବିରୋଧ କରାଯିବ ବୋଲି ପ୍ରଥମେ ନିଷ୍ପତ୍ତି ନେଇଥିଲେ ନବୀନ। କିନ୍ତୁ ଭୋଟ ପୂର୍ବରୁ ହଠାତ୍ ବିବେକ ଦ୍ବାହି ଦେଇ ଖେଳିଲେ ନବୀନ । ଫଳରେ ବିଲ ସପକ୍ଷରେ ୫, ବିପକ୍ଷରେ ୧ ଏବଂ ଜଣେ ସଦସ୍ୟ ଅନୁପସ୍ଥିତ ରହିଥିଲେ। ସେହିଦିନ ଠାରୁ ଦଳରେ ବଡ଼ ଫାଟ ପଡ଼ିଥିଲା । ଏବେ ବି ସେହି ସଂକଟ ଦଳକୁ ଘାରିଦେଇଛି। ନବୀନଙ୍କର ଏଭଳି ନିଷ୍ପତ୍ତିଗତ ଖେଳ ଦଳର ଅଧିକାଂଶ ନେତାଙ୍କଦ୍ବାରା ଗ୍ରହଣୀୟ ହୋଇନାହିଁ। ଏସଂକ୍ରାନ୍ତରେ ନେତାମାନେ ନବୀନଙ୍କୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏପ୍ରକାର ନିଷ୍ପତ୍ତିଦ୍ୱାରା ମଧ୍ୟ ଏନଡିଏକୁ ଫାଇଦା ମିଳିବ। ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନଙ୍କୁ ଜିଣିବାକୁ ହେଲେ ୩୯୧ଟି ଭୋଟ ଦରକାର ପଡ଼ୁଛି। ୭୮୨ଜଣ ଭୋଟର । ବିଜଦର ୭ଜଣ ଅନୁପସ୍ଥିତ ରହିଲେ ଭୋଟର ସଂଖ୍ୟା ୭୭୫ ହୋଇଯିବ। ଫଳରେ ବିଜୟ ସଂଖ୍ୟା ହେବ ୩୮୭ । ଏନଡିଏ ହାତରେ ୪୨୩ଟି ଭୋଟ ଅଛି। ଲୋକସଭାରେ ୨୯୩ ଏବଂ ରାଜ୍ୟସଭାରେ ୧୩୦। ଉପ-ରାଷ୍ଟ୍ରପତି ନିର୍ବାଚନରେ ହୁଇପ ଜାରି ହୋଇପାରିବ ନାହିଁ । ମୋଟାମୋଟି ଭାବେ ବିଜଦର ନିଷ୍ପତ୍ତି ପରୋକ୍ଷ ଭାବେ ଏନଡିଏକୁ ସାହାଯ୍ୟ କରିବ। Post navigation ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ ହେବ ଦ୍ବିତୀୟ ଉପନିର୍ବାଚନ; ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ ନୂଆପଡ଼ା ଭୋଟର