bjp slams BJD, Congress for doing politics over ratha jatra
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭ୍ୟାସଗତ ଭାବେ ମିଛ ରାଜନୀତି କରି ସ୍ୱାର୍ଥ ହାସଲ ପାଇଁ ମନଗଢ଼ା ବିବୃତି ଦେଉଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।
 
ମହାପ୍ରଭୁଙ୍କ ୩ ରଥ ଶରଧାବାଲିରେ ଲାଗିସାରିଛି । ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନ କରୁଛନ୍ତି । ଚଳିତବର୍ଷ ଅତ୍ୟନ୍ତ ଶୃଙ୍ଖଳାର ସହ ଅଘଟଣ ଶୂନ୍ୟ ରଥଯାତ୍ରା ସମାପନ ହୋଇଛି । ଅଭୁତପୂର୍ବ ଜନସମାଗମ ସତ୍ୱେ ଯେଉଁ ଭଳି ଭକ୍ତମାନେ ମହାପ୍ରଭୁଙ୍କୁ ମନଭରି ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଏହା କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅନୀଲ ବିଶ୍ୱାଳ କହିଛନ୍ତି ।
 
ବିଶ୍ୱାଳ କହିଛନ୍ତି ଯେ, ଗତ ବର୍ଷମାନଙ୍କରେ ବିଜୁ ଜନତା ଦଳର ସରକାର ସମୟରେ ରଥଯାତ୍ରାବେଳେ ଅନେକ ଅଘଟଣ ଘଟିଛି । ପୋଲିସର ଲାଠିମାଡ଼ଠାରୁ ନେଇ ରଥ ଉପରେ ୩ ଠାକୁର ଅଘଷା, ଅଖିଆ ରହିବା ପର୍ଯ୍ୟନ୍ତ ଭଳି ଅଘଟଣ ବିଜେଡି ସରକାର ସମୟରେ ରଥଯାତ୍ରା ପରିଚାଳନାର ଅକ୍ଷମତାକୁ ପ୍ରମାଣିତ କରିଥିଲା । ଯେଉଁଭଳି ଭାବେ ଚଳିତ ବର୍ଷ ଅତ୍ୟଧିକ ଭକ୍ତ ଆସିଥିବା ସତ୍ୱେ ରଥଯାତ୍ରା ଯେଭଳି ଶୃଙ୍ଖଳିତ ଭାବେ ପରିଚାଳନା ହେଉଛି ସେଭଳି ଆଗରୁ ବିଜେଡି ସରକାର ସମୟରେ ହୋଇପାରୁ ନ ଥିଲା ।
 
ସେ ପୁଣି କହିଛନ୍ତି ଯେ, ରଥଯାତ୍ରାବେଳେ ୩ ଦିନ ଛୁଟି ପଡ଼ିଥିବାରୁ ଯେତିକି ଲୋକ ଆସିବା କଥା ତା’ଠାରୁ ବହୁ ଅଧିକ ଲୋକ ଆସିଥିଲେ । ତଥାପି ମଧ୍ୟ ବହୁ ଭଲଭାବେ ଟ୍ରାଫିକ୍ ପରିଚାଳନା କରାଯାଇଥିଲା । ଆର୍‌ଟିଫିସିଆଲ ଇଂଟେଲିଜେନ୍ସି (ଏଆଇ) ର ବ୍ୟବହାର ସହ ଉନ୍ନତମାନର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ ପୋଲିସ ପ୍ରଶାସନର ସହଯୋଗ ଫଳରେ ଅତି ସୁନ୍ଦର ଭାବେ ଭିଡ଼ ନିୟନ୍ତ୍ରଣ କରାଯାଇଥିଲା । ଫଳରେ କୌଣସି ଜାଗାରେ ଅପ୍ରତୀକର ପରିସ୍ଥିତି ଉପୁଜି ନଥିଲା । ଏହାହିଁ ହେଉଛି ଶ୍ରୀମନ୍ଦିର ଓ ରାଜ୍ୟ ସରକାରଙ୍କ ରଥ ପରିଚାଳନାର ସଫଳତା ।
 
ମାତ୍ର ବିଜେଡିର ମାନସିକତା ଶାଗୁଣା ଓ ଚିଲ ଭଳି । ସେମାନଙ୍କୁ କେବେ ହେଲେ ଭଲ ଜିନିଷ ଦେଖାଯାଏ ନାହିଁ । ଶାଗୁଣା ଓ ଚିଲ ଯେଭଳି ସବୁଠି ମୃତଦେହ, ମଇଳା ଓ ଅଳିଆ ଆଦି ଖୋଜନ୍ତି ଠିକ୍ ସେଭଳି ବିଜେଡି ଓ କଂଗ୍ରେସ ସବୁ ଭଲ ମଧ୍ୟରେ ଖରାପ ଖୋଜିବାରେ ବ୍ୟସ୍ତ । ବିଜେପି ସରକାର ଚଳିତ ରଥଯାତ୍ରା ଅଘଟଣ ଶୂନ୍ୟ ଓ ଭବ୍ୟ ଭାବେ ଆୟୋଜନ କରିଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହାନ୍ତି । ବିଜେଡି ଯିଏକି ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ବିଗତ ଶାସନ ସମୟରେ ଅପଚେଷ୍ଟା କରିଥିଲା ସେମାନେ ସେହି ମାନସିକତାରୁ ଆଜିବି ବାହାରି ପାରିନାହାନ୍ତି । ଚଳିତ ବର୍ଷର ରଥଯାତ୍ରା ସମୟରେ ଜଣେ ହେଲେ ବି ଅଣସେବାୟତ ରଥ ଉପରେ ଚଢ଼ିନାହାନ୍ତି ।
 
ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତୀର ଆରାଧ୍ୟ ଦେବତା । ସେ ହେଉନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ । ତାଙ୍କୁ ନେଇ ଯିଏ ରାଜନୀତି କରିଛି ସେ ତା’ର ଫଳ ପାଇଛି । ବିଜୁ ଜନତା ଦଳର ଅରୁଣ ସାହୁ ଆଜି ଯେଉଁଭଳି ମିଥ୍ୟା ଅଭିଯୋଗ କରିଛନ୍ତି, ସେ ତାଙ୍କ ଶାସନକାଳରେ କରିଥିବା ଭୁଲ୍‌ଗୁଡ଼ିକୁ ବୋଧହୁଏ ଭୁଲି ଯାଇଛନ୍ତି ।
 
ବିଜେଡି ଶାସନକାଳରେ ଯେତେବେଳେ ଠାକୁରଙ୍କ ନବକଳେବର ହୋଇଥିଲା ସେସମୟରେ ମହାବିଭ୍ରାଟ ହୋଇଥିଲା । ସେତେବେଳେତ ଆଇନମନ୍ତ୍ରୀ କିଏ ଥିଲେ? ଅରୁଣ ସାହୁ ଆଇନ ମନ୍ତ୍ରୀ ଥିଲେ କି ନାହିଁ ସ୍ପଷ୍ଟ କରନ୍ତୁ । ଯେତେବେଳେ ଦଇତାପତିମାନେ ଦାରୁ ଖୋଜିବା ପାଇଁ ଯାଇଥିଲେ ସେତେବେଳେ ସାହୁ ଅନନ୍ତଶୟନ ମୁଦ୍ରାରେ ମହ୍ରାପ୍ରଭୁ ଜଗନ୍ନାଥଙ୍କ ସେବାୟତଙ୍କ ସହ ବସିଥିଲେକି ନାହିଁ ତାହା ସ୍ପଷ୍ଟ କରନ୍ତୁ । ଦାରୁ ଶଗଡିରେ ବସି ବିଜେଡି ବିଧାୟକ, ମନ୍ତ୍ରୀ ଫଟୋସୁଟ କରିଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ । ମହାପ୍ରଭୁଙ୍କ ପରମ୍ପରାକୁ ଭାଙ୍ଗିବାର ଇତିହାସ ବିଜେଡିର ରହିଆସିଛି ।
 
ଏବେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ବିଜେଡିର ସାଧାରଣ ସମ୍ପାଦକ କହିଲେ ଯେ ସେ ପୁରୀରୁ ଦାରୁ ଚୋରି କରିଆଣିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଦୀଘାକୁ ଜଗନ୍ନାଥ ଧାମ୍ ବୋଲି କହୁଥିବାରୁ ସାରା ଓଡ଼ିଶାବାସୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ ବିଜେଡି କାହିଁକି ନିରବ ଅଛି ? ବ୍ରହ୍ମବିଭାଟଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଚାବି ହଜିବା ପର୍ଯ୍ୟନ୍ତ ସବୁଥିରେ ବିଜେଡିର ହାତ ଥିଲା ।
 
ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ମାତ୍ର ୨ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିଥିଲାବେଳେ ୧୦ବର୍ଷ ପରେ ବି ବିଜେଡି କାହିଁକି ରତ୍ନଭଣ୍ଡାର ଖୋଲି ପାରି ନଥିଲା ଏହାର ଉତର ବିଜେଡି ଦେଉ । ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ ଅଙ୍ଗ ବୋଲି କୁହାଯାଉଥିବା ମଠଗୁଡ଼ିକୁ ବିଜେଡି ସରକାର ସମୟରେ ଭାଙ୍ଗି ଦିଆଯାଇଥିଲା ।
 
ଏହି ବିଜେଡି ସରକାର ସମୟରେ ୧୨ ମିଶା ଉଷୁନା ଚାଉଳରେ ମହାପ୍ରସାଦ କରାଯାଇଥିଲା । ଗୋ ମାଂସର ପ୍ରଚାର ପ୍ରସାର କରୁଥିବା ଭିଡିଓ ବ୍ଲଗରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଅଭଡାର ପ୍ରଚାର ପ୍ରସାର କରାଉଥିଲେ । ସେତେବେଳେ ଜଗନ୍ନାଥ ସଂସ୍କୃତି ପାଇଁ ବିଜେଡିର ଉଦ୍‌ବେଗ କୁଆଡେ ଯାଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆପାଟ ବେକରେ ପକାଇବା ପାଇଁ ନବୀନ ପଟ୍ଟନାୟକଙ୍କୁ ୧୨ ବର୍ଷ ଲାଗିଥିଲା । ସେ ଆଜି ରଥଯାତ୍ରା ଉପରେ ପ୍ରେସ ବିବୃତି ଜାରି କରିବା ଅତ୍ୟନ୍ତ ହାସ୍ୟସ୍ପଦ । ବିଜେପି ସରକାରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପମୁଖ୍ୟମନ୍ତ୍ରୀ, ଅନ୍ୟ କ୍ୟାବିନେଟ ମନ୍ତ୍ରୀ ସଭିଏଁ ରଥଯାତ୍ରାରେ ଉପସ୍ଥିତ ରହି ସୁରୁଖୁରୁରେ ରଥଯାତ୍ରା ସମାପନ କାମକୁ ତଦାରଖ କରୁଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମାସେ ହେବ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ କରିବା ପାଇଁ ପୁରୀରେ ରହି ପ୍ରସ୍ତୁତି କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ରଥଯାତ୍ରା ମହାସମାରୋହରେ ବିନା କୌଣସି ଅଘଟଣରେ ସମ୍ପନ୍ନ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
 
ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଶା ପାଇଁ ଗୌରବ ଆଣିଛି । ଏହି ରଥଯାତ୍ରା ଦେଖିବା ପାଇଁ ସାରା ବିଶ୍ୱରୁ ଯେଉଁଭଳିଭାବେ ଭକ୍ତମାନେ ଆସିଛନ୍ତି ଓ ଏହାକୁ ଯେଉଁଭଳି ଭାବେ ଶାନ୍ତିଶୃଙ୍ଖଳାର ସହ ଅଘଟଣ ଶୂନ୍ୟଭାବେ ପରିଚାଳନା କରାଯାଇଛି ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । ଯେଉଁମାନେ ଏନେଇ ରାଜନୀତି କରୁଛନ୍ତି, ଯେଉଁମାନଙ୍କୁ ସବୁ କଥାରେ ଅଘଟଣ ଦେଖାଯାଉଛି, ସେମାନଙ୍କୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ । ସେମାନେ ତାଙ୍କ ମାନସିକତାରେ ପରିବର୍ତନ ଆଣନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *