Paradip to have new airport; Heliports to be built in 15 dists

ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ “ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା” ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ଏହି ବୈଠକରେ, ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ସମେତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର (SJIA) ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିବା ବେଳେ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ, ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏଥିସହିତ ରାଜ୍ୟର ୧୫ ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ଏବଂ ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (BPAC)ର ବିକାଶ ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଥିଲା। ନୋଡାଲ ଏଜେନ୍ସି ଭାବରେ ଏହି ବିକାଶ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର, ହେଲିପ୍ୟାଡ୍ ଏବଂ ଡ୍ରୋନ୍ ହବ୍ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏଥିସହିତ ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ବିମାନବନ୍ଦର ଗୁଡିକର କାର୍ଯ୍ୟ ଦକ୍ଷତାକୁ ଆହୁରି ବିକାଶ କରିବା ଏବଂ ଏହାର ଆଧୁନିକୀକରଣ କରିବା ବିଷୟରେ ସେ ଗୁରୁତ୍ୱାରୋପ କରିଥିଲେ ।

ରାଷ୍ଟ୍ରାୟତ୍ତ ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ, ବିମାନ ସଂଯୋଗ ବୃଦ୍ଧି, ବିମାନ ଚଳାଚଳ ୟୁନିଟ୍‌ର ଦକ୍ଷତା ବୃଦ୍ଧି ସହିତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟର ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ମାନବ ସମ୍ବଳର ପ୍ରସ୍ତାବ ସହିତ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପୁନର୍ଗଠନ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *