ଆଜି ଠାରୁ ଜାନୁଆରୀ ୨ ତାରିଖ ଯାଏଁ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ବଡଦିନରୁ ଇଂରାଜୀ ନୂଆବର୍ଷ ୨୦୨୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଆଜି ବଡ ଦିନ ଥିବାରୁ ଭକ୍ତଙ୍କ ସମାଗମ ମନ୍ଦିରରେ ଲାଗିରହିଛି। ବର୍ଷ ଶେଷ ତଥା ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଓ ସମୁଦ୍ରର କୁଳର ମନୋରମ ମଜା ଉଠାଇବା ପାଇଁ ଅଧିକ ଭିଡ ପରିଲକ୍ଷିତ ହେଉଛି। ଜାନୁଆରୀ ୩ ତାରିଖରୁ ପୁନର୍ବାର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହେବ।

ସୂଚନା ଯୋଗ୍ୟ; ଗତ ଡିସେମ୍ବର ୧୭ରୁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବହୁ ବ୍ୟବସ୍ଥା ସହିତ ବ୍ୟାପକ ପ୍ରସ୍ତୁତି ହୋଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଆକଳନ ମୁତାବକ ଆସନ୍ତା ୩ ମାସ ମଧ୍ୟରେ ମରାମତି କାର୍ଯ୍ୟ ଶେଷ ହେବ। ମରାମତି କାର୍ଯ୍ୟ ଶେଷ ପରେ ପୁଣି ଅଳଙ୍କାର ସବୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ। ଏହା ସହିତ ଗଣତି ମଣତି କାର୍ଯ୍ୟ ହେବ। ପ୍ରତିଦିନ ମଣ୍ଡପ ପରଠାରୁ ପ୍ରାୟତଃ ଦିନ ୧ ଟାଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏଏସ୍‌ଆଇକୁ ସମୟ ଦିଆଯାଉଛି ତେଣୁ ଭିତରକାଠ ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଛି । କାମ ସରିବା ପରେ ପରବର୍ତ୍ତୀ ନୀତି ମଧ୍ୟ ଆରମ୍ଭ ହେଉଛି । ତେଣୁ ଭିଡ଼ ଦିନମାନଙ୍କରେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *