ମୋହନ ସରକାରଙ୍କ ସୂଭଦ୍ରା ଯୋଜନାକୁ ଭଣ୍ଡୁର ପାଇଁ ମିଶନ ଶକ୍ତି ମହିଳାଙ୍କୁ ନେଇ ଚାଲିଛି କି ପ୍ରାୟୋଜିତ ଆନ୍ଦୋଳନ ? ଭାଜପା ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି । ବିଧାୟକ ଟଙ୍କଧର ତ୍ରିପାଠୀ ଏକ ବଡ଼ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ, ସୁଭଦ୍ରା ଯୋଜନାର ଲୋକପ୍ରିୟତାକୁ ଦେଖି ବିଜଦ ନେତାମାନେ ବିଚଳିତ ହୋଇଗଲେଣି। ତେଣୁ ମା’ ଓ ଭଉଣୀଙ୍କୁ ଆଣି ଶୀତକାକରରେ ରାଜରାସ୍ତାରେ ବସାଇଛନ୍ତି । ସେମାନେ ପ୍ରଥମେ ସ୍ପଷ୍ଟ କରିବା ଦରକାର ଯେ, କାହିଁକି ବକେୟା ୩ମାସର ଦରମା ତାଙ୍କ ସରକାର ଦେଇନଥିଲା। ଅନ୍ୟ ପଟେ ଦ୍ବିତୀୟ ଦିନ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ୯ମାସର ବକେୟା ଦରମା ସହ ୧୦ ଦଫା ଦାବି ପୂରଣ ପାଇଁ ଗର୍ଜନ କରିଥିଲେ ୬ଟି କ୍ୟାଡର ସିଆରପି, ଏମବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ରର ହଜାର ହଜାର ମହିଳା କର୍ମଚାରୀ । ବିଧାନସଭା ଭିତରେ ଏବଂ ବାହାରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ନେଇ ତାଡି ଦେଖୁବାକୁ ମିଳିଥିଲାବେଳେ ରାଜନୀତି ମଧ୍ଯ ଜୋର ଧରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଦରମା ବନ୍ଦ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଅନ୍ୟପଟେ ଭାଜପା ମଧ୍ୟ ଏହାର ଦେଇଛି ଜବାବ। ମଙ୍ଗଳବାର ବିଧାନସଭାରେ ଶାସକ -ବିରୋଧୀ ମୂହାଁ ମୁହିଁ ହୋଇଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜଦ ସହ କଂଗ୍ରେସ ସର ମିଳାଇ ପ୍ରଶ୍ନକାଳକୁ ଅଚଳ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟରେ ସହଯୋଗ ପାଇଁ ନିଜ ଆସନରେ ଛିଡ଼ା ହୋଇ ହାତଯୋଡି଼ ବିରୋଧୀଙ୍କୁ ନିବେଦନ କରିଥିଲେ ମଧ୍ୟ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହର ପ୍ରଶ୍ନକାଳକୁ ମୁଲତବୀ ରଖାଯାଇଥିଲା । ଗୃହ କାର୍ଯ୍ୟ ପୂନର୍ବାର ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୁରମା ପାଢ଼ୀ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜଦ ବିଧାୟକ ଧୃବଚରଣ ସାହୁ, ରଣେନ୍ଦ୍ର ପ୍ରତାପ ସାଇଁ, ସାରଦା ଜେନା, ନିରଞ୍ଜନ ପୂଜାରୀ, କଂଗ୍ରେସ ସଭ୍ୟ ଅଶୋକ କୁମାର ଦାସ, ସୋଫିଆ ଫିନ୍ଦୋସ ପ୍ରମୁଖ ମିଶନ ଶକ୍ତି ମହିଳାଙ୍କ ଦାବି ଗୃହରେ ଯୁକ୍ତି ଉପସ୍ଥାପନ କରିଥିଲେ । ବିଜଦ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀମାନଙ୍କୁ ତୁରନ୍ତ ବକେୟା ଦରମା ପ୍ରଦାନ ସହ ସେମାନଙ୍କର ଚାକିରୀ ଚୁଲି ନବୀକରଣ ପାଇଁ ଦାବି କରି ଥିଲେ। ଏପଟେ କଂଗ୍ରେସ ବିଧାୟକ ମାନେ ମିଶନଶକ୍ତି କର୍ମୀଙ୍କ ଏଭଳି ସ୍ଥିତି ପାଇଁ ବିଜଦକୁ ଦାୟୀ କରିଥିବାବେଳେ ବର୍ତ୍ତମାନର ମୋହନ ସରକାର ସେମାନଙ୍କ ପାଇଁ ମାନବିକତା ଦୃଷ୍ଟି କୋଣରୁ ଦାବି ପୂରଣ କରିବା ନିମନ୍ତେ ଗୃହରେ ଯୁକ୍ତି ରଖିଥିଲେ । ଅନ୍ୟପଟେ ବିଧାନସଭାରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ଗୃହରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳୁଛି । ବିରୋଧୀ ସରକାରଙ୍କୁ ଏନେଇ ଅଙ୍ଗୁଳି ଉଠାଉଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ଦିନ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ରଖୁଛନ୍ତି । ବିରୋଧୀଙ୍କୁ ସତର୍କ କରାଇ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କୁ ନେଇ ବିରୋଧୀ ରାଜନୀତି କରନ୍ତୁ ନାହିଁ । ସେମାନଙ୍କ ଏହି ସ୍ଥିତି ପାଇଁ ପୂର୍ବ ସରକାର ସମ୍ପୂର୍ଣ ଦାୟୀ ଥିବା ବେଳେ ଏବେ ସେମାନଙ୍କୁ ଭ୍ରମିତ କରି ରାସ୍ତାକୁ ଅଣାଯାଇଛି । ମହିଳାମାନଙ୍କୁ ତାଙ୍କ ସରକାର ଯଥେଷ୍ଟ ସମ୍ମାନ ଦେଉଛନ୍ତି । ସେମାନେ କାହା କଥାରେ ଭ୍ରମିତ ହୋଇ ରାସ୍ତାରେ ଗଡନ୍ତୁ ନାହିଁ । ରାଜ୍ୟ ସରକାର ଏହି ମିଶନ ଶକ୍ତି କର୍ମୀମାନଙ୍କ ସମସ୍ୟା ନେଇ ସଚେତନ ଅଛନ୍ତି। ଯଥାସମୟରେ ଉଚିତ ପଦକ୍ଷେପ ନିଆଯିବ । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି ସଶକ୍ତ କରିବା ପାଇଁ ଆମ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଅନ୍ୟ କାହା କ ଥାରେ ପଢ଼ି ଏହି କର୍ମୀମାନେ ରାସ୍ତା ଉପରେ ଆସି ଗୋଡନ୍ତୁ ନାହିଁ ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି । Post navigation ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କ ଫୋର୍ସ ଆଉ କେତେ ତଳକୁ ଯିବ କଂଗ୍ରେସ