କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋମନାହଲ୍ଲୀ ମଲ୍ଲୈୟା କ୍ରିଷ୍ଣାଙ୍କ ପରଲୋକ। ରାତି ପ୍ରାୟ ସାଢ଼େ ୨ଟାରେ ବେଙ୍ଗାଲୁରୁର ସଦାଶିବନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ । ଏସଏମ କ୍ରିଷ୍ଣା ନିକଟରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଅନ୍ୟପଟେ ଏସ୍ଏମ୍ କ୍ରିଷ୍ଣାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଏସ୍ଏମ୍ କ୍ରିଷ୍ଣା ଜୀ ଜଣେ ଉଲ୍ଲେଖନୀୟ ନେତା ଥିଲେ, ଯାହାଙ୍କୁ ସବୁ ବର୍ଗର ଲୋକ ପ୍ରଶଂସା କରୁଥିଲେ। ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ସର୍ବଦା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ, ବିଶେଷ କରି ଭିତ୍ତିଭୂମି ବିକାଶ ଉପରେ ତାଙ୍କର ଧ୍ୟାନ ପାଇଁ ତାଙ୍କୁ ସ୍ନେହର ସହ ସ୍ମରଣ କରାଯାଏ। ସୂଚନା ଯୋଗ୍ୟ; ଏସ୍ଏମ୍ କ୍ରିଷ୍ଣା ୧୯୬୨ ମସିହାରେ ମଦ୍ଦୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟୀ ହୋଇ ନିର୍ବାଚନ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ପ୍ରଜା ସୋଶାଲିଷ୍ଟ ପାର୍ଟି ସହ ଜଡ଼ିତ ଥିଲେ। ୧୧ ଅକ୍ଟୋବର ୧୯ରୁ ୨୮ ମଇ ୨୦୦୪ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ୧୬ତମ ମୁଖ୍ୟମନ୍ତ୍ରୀ ଥିଲେ । ଏସଏମ କ୍ରିଷ୍ଣା ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ) ସରକାର ସମୟରେ ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ୨୦୧୭ ମାର୍ଚ୍ଚରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ କଂଗ୍ରେସ ସହ ତାଙ୍କର ପ୍ରାୟ ୫୦ ବର୍ଷର ସମ୍ପର୍କଶେଷ କରିଥିଲେ। ଜାନୁଆରୀ ୨୦୧୭ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୃଷ୍ଣା ଗତ ବର୍ଷ ଜାନୁଆରୀରେ ବୟସକୁ କାରଣ ଦର୍ଶାଇ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଘୋଷଣା କରିଥିଲେ। ଏହା ସହ ଭାରତୀୟ ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତବର୍ଷ (୨୦୨୩)ରେ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । Post navigation ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୬୫ କ୍ରୀଡ଼ାବିତ୍ଙ୍କୁ ପ୍ରଦାନ କରାଗଲା ୫୩ ଲକ୍ଷ ୭ହଜାର ୫୦୦ ଟଙ୍କା ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହୋଇଛି ଝିପିଝିପି ବର୍ଷା