ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଜି ସାମ୍ନାକୁ ଆସୁଛି ଏକ ଅଭାବନୀୟ ଘଟଣା । ଜଣେ ସରକାରୀ ପଦବୀରେ ଥିବା ମହିଳା ନିଜର କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ଦେଲେନି।  ଯାହା ଫଳରେ ଜନ୍ମ ନ ହେଉନୁ ଗର୍ଭରେ ହିଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ।

ସୂଚନଯୋଗ୍ୟ; କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବାବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। ଡେରାବିଶ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ମେଡିକାଲ ନେବା ତଥା ଆମ୍ବୁଲାନ୍ସ ଡାକିବା ବଦଳରେ ବର୍ଷାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ଯାହା ଫଳରେ ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ପରିବାର ପକ୍ଷରୁ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି ।

କନିଷ୍ଠ କିରାଣୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଅନୁଯାୟୀ ସିଡିପିଓ ସ୍ନେହଲତା ସାହୁ ତଳିଆ କର୍ମଚାରୀଙ୍କୁ ଦୀର୍ଘ ୩ ବର୍ଷ ହେଲାଣି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତାଙ୍କ ଇସାରରେ କାମ କରିବାକୁ କର୍ମଚାରୀଙ୍କୁ ବାଧ୍ୟ କରୁଥିଲେ । ଏ ନେଇ କନିଷ୍ଠ କିରାଣୀ ଉପରସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । କିନ୍ତୁ କେହି କର୍ଣ୍ଣପାତ କରି ନ ଥିଲେ । ଆଉ ଏହି ନିର୍ଯ୍ୟାତନା ଚରମ ସୀମାରେ ପହଁଚିଥିଲା । ଯାହା ଫଳରେ ଗର୍ଭରେ ହିଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ।

ଅନ୍ୟପଟେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଡେରାବିଶ ସିଡିପିଓଙ୍କ ଅଫିସ ଚାମ୍ବରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଅଭିଯୋଗ ସତ୍ୟତା ଥିଲେ ଖୁବ ଶୀଘ୍ର ସିଡିପିଓ ସ୍ନେହ ଲତା ସାହୁଙ୍କ ଉପରେ ଦୃଢ କାର୍ଯ୍ୟlନୁଷ୍ଠାନ ହେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲପାଳ ସ୍ମୁତିରଞ୍ଜନ ପ୍ରଧାନ କହିଛନ୍ତି ।ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।

Leave a Reply

Your email address will not be published. Required fields are marked *