ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ତଥା ଛତିଶଗଡର ଝିଅ ପୂର୍ଣ୍ଣିମା ଦାସଙ୍କୁ ବିଜେପି ଜାମସେଦପୁର ପୂର୍ବରୁ ଟିକେଟ ଦେଇଛି । ଏହା ହେଉଛି ସମାନ ଆସନ ଯେଉଁଠାରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ତାଙ୍କ ପୂର୍ଣ୍ଣିମା ଦାସଙ୍କୁ ବିଜେପି ଟିକେଟ ଦେଇଛି ।

ସେହିପରି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ବିଜେପି ଚମ୍ପଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ, ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା, ମଧୁ କୋଡାଙ୍କ ପତ୍ନୀ ଗୀତା କୋଡାଙ୍କୁ ଟିକେଟ ଦେଇଛନ୍ତି । ଜେଏମଏମର ପୂର୍ବତନ ବିଧାୟକ ଲୋବିନ ହେମ୍ବ୍ରମଙ୍କୁ ବିଜେପି ବୋରିୟୋରୁ, ପରିତୋଷ ସୋରେନଙ୍କୁ ଶିକାରୀପାଡା ସିଟ, ଜେଏମଏମ ସଂସ୍ଥାପକ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନଙ୍କୁ ବିଜେପି ଜାମତାଡା ଆସନରୁ ପ୍ରାର୍ଥୀ କରିଛି। ସେହିପରି ଅମିତ ଯାଦବଙ୍କୁ ତାଙ୍କ ବରକଠା ଆସନରେ ପ୍ରାର୍ଥୀ କରାଯାଇଛି। ଆଜସୁରୁ ବିଜେପିକୁ ଆସିଥିବା ରୋସନ ଲାଲ ଚୌଧୁରୀଙ୍କୁ ବରକାଗାଁବରୁ ପ୍ରାର୍ଥୀ କରାଯାଇଥିବା ବେଳେ ଜମୁାଆରେ ମଞ୍ଜୁ ଦେବୀଙ୍କୁ ପ୍ରାର୍ଥୀ କରାଯାଇଛି। କମଲେଶ କୁମାର ସିଂହଙ୍କୁ ପାର୍ଟି ହୁସୈନବାଦରୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ ଓ ନଭେମ୍ବର ୨୩ରେ ଗଣତି ହେବ। ବିଜେପି ଏକାକୀ ରାଜ୍ୟର ମୋଟ୍ ୮୧ଟି ବିଧାନସଭା ଆସନ ମଧ୍ୟରୁ ୬୮ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବାକି ୧୩ ଆସନକୁ ନିଜ ସହଯୋଗୀ ଦଳ ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି (ରାମ ବିଲାଶ) ପାଇଁ ଛାଡ଼ିବ। ମୋଟାମୋଟି ଏକାଧିକ ଦଳ ସହ ମେଣ୍ଟ କରି ବିଜେପି ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ିବ।

Leave a Reply

Your email address will not be published. Required fields are marked *