ଏଣିକି ଡ୍ରାଇଭିଂ ଟେଷ୍ଟ ବେଳେ ହେବନି ପାତର ଅନ୍ତର । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବିକ ହସ୍ତକ୍ଷେପ କରାଯିବ ନାହିଁ । ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବୋଲି ରାଜ୍ୟ ସଡକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟେଷ୍ଟରେ ପାସ୍‌ ଓ ଫେଲ୍ ମେସିନ୍ ଦ୍ବାରା ମୂଲ୍ୟାୟନ କରାଯିବ । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା। ଏହା ସଫଳ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟି କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥ‌ିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଛି। ଖୁବଶୀଘ୍ର ଏହାକୁ ଉଦ୍‌ଘାଟନ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି ।

ଡ୍ରାଇଭିଂ ଟେଣ୍ଟିଂ ବେଳେ ବିଭିନ୍ନ ସମୟରେ ପାତରଅନ୍ତର ହେଉଥିବା ଅଭିଯୋଗ ଆସୁଥିଲା । ଦାୟିତ୍ୱରେ ଥିବା ଏମଭିଆଇ ଉତ୍କୋଚ ନେଇ ଫେଲ୍ ହେଉଥିବା ଚାଳକଙ୍କୁ ପାସ୍‌ କରିଦେଉଥିବା ନଜିର ରହିଛି । ଡ୍ରାଇଭିଂ ଟେଷ୍ଟ ବେଳେ ସହତା ନ ରହିବାରୁ ଏହାର କୁପ୍ରଭାବ ଦେଖୁବାକୁ ମିଳୁଥିଲା । ଅନେକ ଗାଡ଼ି ଶିକ୍ଷା ନ କରି ଡ୍ରାଇଭିଂ ଲାଇସେନ୍ସ ପାଇବା ଦ୍ବାରା ରାସ୍ତାରେ ଦୁର୍ଘଟଣା ଘଟିବାରୁ ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେଣୁ ଏଥିରେ ସହ‌ତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀ (ଅଟୋମେଟେଡ୍ ଡ୍ରାଇଭିଂ ଟେଣ୍ଟିଂ ସିଷ୍ଟମ)କୁ ଆପଣାଯାଇଛି। ଏହାଦ୍ଵାରା ପରୀକ୍ଷା କରାଯାଉଥିବା ଟ୍ରାକ୍‌କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି।

ଟ୍ରାକ୍‌ ରେ କ୍ୟାମେରା, ସେନ୍ସର ଓ ରାଡାର ଦ୍ବାରା ପରିଚାଳନା କରାଯିବ । ପରୀକ୍ଷା ଦେବାକୁ ଆସୁଥିବା ଗାଡ଼ି ଚାଳକ ଜଣକ କୌଣସି ତ୍ରୁଟି କରିବା ମାତ୍ରେ ମେସିନ୍ ସଙ୍ଗେ ସଙ୍ଗେ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ୍‌ କି ଫେଲ୍ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ । କ୍ୟାମେରା ଜରିଆରେ ଚାଳକ ଜଣକ ଠିକ ଭାବେ ଗାଡି଼ ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ । କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ।

ମେସିନ୍‌ରେ ଅଲୋଡ଼୍ ଏକ ସଫ୍ଟୱେୟାର ସମସ୍ତ କାର୍ଯ୍ୟକୁ ପ୍ରୋସେସିଂ କରି ସଙ୍ଗେ ସଙ୍ଗେ ପାସ୍‌ ଫେଲ୍ ରିପୋର୍ଟ ପ୍ରସ୍ତୁତ କରିପାରିବ। ଏହାକୁ ଲାଗୁ କରିବା ପାଇଁ ପ୍ରଥମେ ପରିବହନ ବିଭାଗ ପକ୍ଷରୁ ୬ଟି ସ୍ଥାନ ଯଥା ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେଉଁଝରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହି ପରୀକ୍ଷା ସଫଳ ହେବା ପରେ ବର୍ତ୍ତମାନ ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏବଂ ଏଆରଟିଓରେ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *