୪୮ ଘଣ୍ଟାରେ ୧୨ ବିମାନକୁ ବୋମା ଧମକ । ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ପରେ ବଢ଼ିଲା ଛନକା ଭାରତୀୟ ବିମାନଗୁଡିକୁ ଲଗାତର ବୋମା ଧମକ ମିଳିବା ପରେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ବୋମା ଧମକ ନେଇ ଫୋନ କରିଥିବା ବ୍ୟକ୍ତି ଧରାପଡିଲେ ସେମାନଙ୍କୁ ନୋ ଫ୍ଲାଏ ତାଲିକାଭୁକ୍ତ କରାଯିବ । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିମାନରେ ଏୟାର ମାର୍ଶଲଙ୍କ ସଂଖ୍ୟା ବଢ଼ାଯିବ । ଏୟାର ମାର୍ଶଲଙ୍କ ସଂଖ୍ୟା ଦ୍ବିଗୁଣିତ କରାଯିବ ବୋଲି ଜଣାପଡିଛି ।

ସୁରକ୍ଷା ଏଜେନ୍ସିମାନଙ୍କଠାରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଯେଉଁ ସୋସିଆଲ ମିଡିଆ ଆକାଉଣ୍ଟରୁ ବିମାନରେ ବୋମାର ଗୁଜବ ପ୍ରସାରିତ ହୋଇଥିଲା ତାହାକୁ ବ୍ଲକ କରାଯାଉଛି ଏବଂ ସେମାନଙ୍କ ସହ ଜଡ଼ିତ ତଦନ୍ତ କରାଯାଉଛି। ସୋସିଆଲ ମିଡିଆ ଜରିଆରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ମିଳିଥିବା କିଛି ଧମକ ମଧ୍ୟ ଲଣ୍ଡନ ସମେତ ଅନ୍ୟ କେତେକ ଦେଶ ସହ ଜଡ଼ିତ।

ଆଜି ସକାଳେ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ। ମଝି ଆକାଶରେ ବିମାନକୁ ଡାଇଭର୍ଟ କରାଯାଇଥିଲା ଧମକ ମିଳିବା ପରେ ବିମାନଟିର ଗତିପଥ ପରିବର୍ତ୍ତନ କରାଯାଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି।

ସେହିପରି ମଙ୍ଗଳବାର ଦିନ ବିମାନରେ ବୋମା ଥିବା ଖବର ପାଇ ଅଯୋଧ୍ୟା ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା। ଜୟପୁରରୁ ଅଯୋଧ୍ୟା ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନ ଆଇଏକ୍ସ ୭୬୫କୁ ବୋମା ଧମକ ମିଳିବା ପରେ ତୁରନ୍ତ ଯାଞ୍ଚ ଆରମ୍ଭ କରାଯାଇଥିଲା। ବିମାନର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ବିମାନ ବନ୍ଦର ସୁରକ୍ଷା ଏବଂ ସ୍ଥାନୀୟ ପ୍ରଶାସନର ଟିମ୍ ବିମାନର କଡ଼ା ସୁରକ୍ଷା ଯାଞ୍ଚ କରିବା ପରେ ବୋମା ଧମକକୁ ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ କୁହାଯାଇଛି ଯେ ସୋସିଆଲ ମିଡିଆ ଜରିଆରେ ଏହି ଧମକ ଦିଆଯାଇଛି। ଏହା ସହ ମଙ୍ଗଳବାର ଆଉ ଗୋଟେ ଏୟାର ଇଣ୍ଡିଆର ବିମାନ ଏଆଇ ୧୨୭ ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ବୋମା ଧମକ ମିଳିବା ପରେ ବିମାନଟି କାନାଡାର ଇକାଲୁଇଟ୍ ବିମାନବନ୍ଦରରେ ଅବତରଣ କରିଥିଲା। ତଦନ୍ତରେ ବୋମା ରିପୋର୍ଟ ମିଥ୍ୟା ବୋଲି ଜଣାପଡ଼ିଥିଲା।

ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଏକ ଇମେଲ୍ ମାଧ୍ୟମରେ ସିଙ୍ଗାପୁରରେ ପହଞ୍ଚିଥିବା ବିମାନ ଏଏକ୍ସବି୬୮୪ରେ ବୋମା ଧମକ ମିଳିଥିଲା। ଏହାପରେ ବିମାନଟିକୁ ସିଙ୍ଗାପୁରର ଦୁଇଟି ସାମରିକ ବିମାନ ଜନବହୁଳ ଅଞ୍ଚଳରୁ ବାହାରକୁ ଆଣି ଯାଞ୍ଚ କରିଥିଲା। ବୋମା ରିପୋର୍ଟ ଭୁଲ ଥିଲା। ରାତି ୧୦ଟା ୪ମିନିଟରେ ବିମାନଟି ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଅକ୍ଟୋବର ୧୪ରେ ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ବିମାନ ଏଆଇ ୧୧୯ରେ ବୋମା ବିସ୍ଫୋରଣ ଖବର ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ସୋମବାର ସକାଳେ ମୁମ୍ବାଇରୁ ନ୍ୟୁୟର୍କର ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନରେ ବୋମା ମାଡ଼ ଧମକ ମିଳିଥିଲା। କିଛି ସମୟ ପରେ ବିମାନକୁ ଦିଲ୍ଲୀ ଡାଇଭର୍ଟ କରାଯାଇଥିଲା। ଆଇଜିଆଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ତଦନ୍ତ ପରେ ବୋମା ମାଡ଼ ଖବର କେବଳ ଗୁଜବ ରେ ପରିଣତ ହୋଇଥିଲା।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗତ ୪୮ ଘଣ୍ଟା ମଧ୍ୟରେ ୧୨ଟି ବିମାନକୁ ବୋମା ଧମକ ମିଳିବା ପ୍ରସଙ୍ଗକୁ ବିଚାରକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

Leave a Reply

Your email address will not be published. Required fields are marked *